ପ୍ରଶ୍ନଉପନିଷଦର ତୃତୀୟ ପ୍ରଶ୍ନ

ପ୍ରଶ୍ନଉପନିଷଦର ତୃତୀୟ ପ୍ରଶ୍ନ
॥ ଅଥ ତୃତୀୟଃ ପ୍ରଶ୍ନଃ ॥
ଅଥ ହୈନଂ କୌସଲ୍ୟଶ୍ଚାଶ୍ୱଲାୟନଃ ପପ୍ରଚ୍ଛ । ଭଗବନ୍ କୁତ ଏଷ ପ୍ରାଣୋ ଜାୟତେ କଥମାୟାତ୍ୟସ୍ମିଞ୍ଛରୀରେ ଆତ୍ମାନଂ ବା ପ୍ରବିଭଜ୍ୟ କଥଂ ପ୍ରାତିଷ୍ଠତେ କେନୋତ୍କ୍ରମତେ କଥଂ ବାହ୍ୟମଭିଧତ୍ତେ କଥମଧ୍ୟାତ୍ମମିତି ॥ ୩.୧ ॥
ଏହାପରେ କୋଶଳ ଦେଶର ମହର୍ଷି ଆଶ୍ୱଲାୟନ (ଗୁରୁ ପିପ୍ପଲାଦଙ୍କୁ ତୃତୀୟ ପ୍ରଶ୍ନ) ପଚାରିଲେ ହେ ଭଗବନ୍! ୧. ଏହି ପ୍ରାଣ କେଉଁଠାରୁ ଜନ୍ମ (ଉତ୍ପନ୍ନ) ହୋଇଥାଏ ? ୨. ଏହା ଶରୀର ଭିତରକୁ ଏହା କିପରି ଆସେ ବା ପ୍ରବେଶ କରେ ? ବିଭିନ୍ନ ଭାଗରେ ବିଭକ୍ତ କରି ଏହା ଶରୀରରେ କିପରି ଅବସ୍ଥାନ କରେ ? ୩ . ଏହା ଶରୀରରୁ କିପରି ବାହାରିଯାଏ ଆଉ ଏହା ବାହ୍ୟ ଜଗତକୁ କିପରି ଧାରଣ କରେ? ୪. ଏହା ନିଜର ଅଧ୍ୟାତ୍ମକୁ (ଅର୍ଥାତ୍ ଅନ୍ତର୍ଜଗତ ବା ଶରୀର ଏବଂ ଇନ୍ଦ୍ରିୟଗୁଡ଼ିକୁ) କିପରି ଧାରଣ କରେ ?
ତସ୍ମୈ ସ ହୋବାଚାତିପ୍ରଶ୍ନାନ୍ ପୃଚ୍ଛସି ବ୍ରହ୍ମିଷ୍ଠୋଽସୀତି ତସ୍ମାତ୍ତେଽହଂ ବ୍ରବୀମି ॥ ୩.୨ ॥
ଗୁରୁ ପିପ୍ପଲାଦ ତାଙ୍କୁ (ମହର୍ଷି ଆଶ୍ୱଲାୟନଙ୍କୁ) ଉତ୍ତର ଦେଇ କହିଲେ – ତୁମେ ଅତ୍ୟନ୍ତ ଜଟିଳ ଏବଂ ଗଭୀର ପ୍ରଶ୍ନ ପଚାରୁଛ । କିନ୍ତୁ ମୁଁ ଦେଖୁଛି ଯେ ତୁମେ ଜଣେ ‘ବ୍ରହ୍ମିନିଷ୍ଠ‘ ଅର୍ଥାତ୍ ବ୍ରହ୍ମଜ୍ଞାନ ପ୍ରାପ୍ତ କରିବା ଦିଗରେ ଅତ୍ୟନ୍ତ ନିଷ୍ଠାବାନ୍ ଏବଂ ଯୋଗ୍ୟ ଅଟ । ତେଣୁ (ତୁମର ଏହି ଯୋଗ୍ୟତା ଦେଖି) ମୁଁ ନିଶ୍ଚୟ ତୁମକୁ ଏହି ସବୁ ପ୍ରଶ୍ନର ଉତ୍ତର ଦେବି ।
ଆତ୍ମନ ଏଷ ପ୍ରାଣୋ ଜାୟତେ । ଯଥୈଷା ପୁରୁଷେ ଛାୟୈତସ୍ମିନ୍ନେତଦାତତଂ ମନୋକୃତେନାୟାତ୍ୟସ୍ମିଞ୍ଛରୀରେ ॥ ୩.୩ ॥
ଗୁରୁ ପିପ୍ପଲାଦ ଉତ୍ତର ଦେଇ କହୁଛନ୍ତି ଏହି ପ୍ରାଣ ସେହି ‘ଆତ୍ମା‘ (ବା ପରମାତ୍ମା) ଠାରୁ ହିଁ ଉତ୍ପନ୍ନ ହୋଇଥାଏ । ଯେଉଁପରି ଗୋଟିଏ ମଣିଷ ଛିଡ଼ା ହେଲେ ତାହାର ଛାଇ ଆପେ ଆପେ ସୃଷ୍ଟି ହୋଇ ତା‘ ସହିତ ଲାଗି ରହିଥାଏ, ଠିକ୍ ସେହିପରି ଏହି ପ୍ରାଣ ମଧ୍ୟ ସେହି ଆତ୍ମା ଉପରେ ସମ୍ପୂର୍ଣ୍ଣ ଆଶ୍ରିତ ହୋଇ ବ୍ୟାପ୍ତ ରହିଥାଏ । ଏବଂ ଏହା ମନ ଦ୍ୱାରା କରାଯାଇଥିବା ସଂକଳ୍ପ ବା କର୍ମ (ଅର୍ଥାତ୍ ପୂର୍ବଜନ୍ମର କର୍ମଫଳ) କାରଣରୁ ହିଁ ଏହି ପ୍ରାଣ ଏହି ଶରୀରରେ ପ୍ରବେଶ କରିଥାଏ ।
ଏହି ଶ୍ଳୋକଟି ଅତ୍ୟନ୍ତ ଗଭୀର ଅଟେ କାରଣ ଏହା ସ୍ପଷ୍ଟ କରୁଛି ଯେ ଆମର ମନର ଚିନ୍ତାଧାରା ଏବଂ କର୍ମ ହିଁ ଆମର ପରବର୍ତ୍ତୀ ଶରୀର ବା ଜନ୍ମ ନିର୍ଦ୍ଧାରଣ କରେ ।
ଯଥା ସମ୍ରାଡେବାଧିକୃତାନ୍ ବିନିୟୁଙ୍କ୍ତେ ଏତାନ୍ ଗ୍ରାମାନେତାନ୍ ଗ୍ରାମାନଧିତିଷ୍ଠସ୍ୱେତ୍ୟେବମେବୈଷ ପ୍ରାଣ ଇତରାନ୍ ପ୍ରାଣାନ୍ ପୃଥକ୍ ପୃଥଗେବ ସଂନିଧତ୍ତେ ॥ ୩.୪ ॥
ଗୁରୁ ପିପ୍ପଲାଦ ଉଦାହରଣ ଦେଇ କହୁଛନ୍ତି ଯେମିତି ଜଣେ ସମ୍ରାଟ (ରାଜା) ନିଜର ଅଧିକାରୀମାନଙ୍କୁ ଅଲଗା ଅଲଗା ନିଯୁକ୍ତି ଦେଇ ନିର୍ଦ୍ଦେଶ ଦିଅନ୍ତି ଯେ ‘ତୁମେ ସେହିସବୁ ଗ୍ରାମର ଶାସନ ଦାୟିତ୍ୱ ବୁଝ ଏବଂ ତୁମେ ସେହିସବୁ ଗ୍ରାମର ଦାୟିତ୍ୱ ନିଅ , ଠିକ୍ ସେହିପରି ଏହି ମୁଖ୍ୟ ପ୍ରାଣ ମଧ୍ୟ ନିଜ ଅଧୀନରେ ଥିବା ଅନ୍ୟାନ୍ୟ ପ୍ରାଣମାନଙ୍କୁ (ଅର୍ଥାତ୍ ଅପାନ, ସମାନ, ବ୍ୟାନ ଏବଂ ଉଦାନ ଆଦି ଉପ-ପ୍ରାଣମାନଙ୍କୁ) ଶରୀରର ଭିନ୍ନ ଭିନ୍ନ ସ୍ଥାନରେ ସେମାନଙ୍କର ସ୍ୱତନ୍ତ୍ର କାର୍ଯ୍ୟ କରିବା ପାଇଁ ନିଯୁକ୍ତ କରିଥାଏ ।
ପାୟୂପସ୍ଥେଽପାନଂ ଚକ୍ଷୁଃଶ୍ରୋତ୍ରେ ମୁଖନାସିକାଭ୍ୟାଂ ପ୍ରାଣଃ ସ୍ୱୟଂ ପ୍ରାତିଷ୍ଠତେ ମଧ୍ୟେ ତୁ ସମାନଃ । ଏଷ ହ୍ୟେତଦ୍ଧୁତମନ୍ନଂ ସମଂ ନୟତି ତସ୍ମାଦେତାଃ ସପ୍ତାର୍ଚିଷୋ ଭବନ୍ତି ॥ ୩.୫ ॥
ପାୟୁ (ମଳଦ୍ୱାର) ଏବଂ ଉପସ୍ଥ (ମୂତ୍ରଦ୍ୱାର ବା ଜନନେନ୍ଦ୍ରିୟ) ରେ ‘ଅପାନ‘ ବାୟୁ ଅବସ୍ଥାନ କରେ । ମୁଖ୍ୟ ସେହି ‘ପ୍ରାଣ‘ ନିଜେ ଆଖି, କାନ, ପାଟି ଏବଂ ନାକରେ ବ୍ୟାପ୍ତ ହୋଇ ରହେ । ଶରୀରର ଠିକ୍ ମଝି ଭାଗରେ (ନାଭି ଅଞ୍ଚଳରେ) ‘ସମାନ‘ ବାୟୁ ଅବସ୍ଥାନ କରେ । ଏହି ସମାନ ବାୟୁ ହିଁ ଶରୀର ରୂପୀ ଯଜ୍ଞରେ ଆହୁତି ଦିଆଯାଉଥିବା ଅନ୍ନକୁ ହଜମ କରି ସାରା ଶରୀରରେ ସମାନ ଭାବରେ ବଣ୍ଟନ କରେ । ଏବଂ ଏହି ସମାନ ବାୟୁରୁ ହିଁ ମୁଖମଣ୍ଡଳରେ ଥିବା ସାତୋଟି ଜ୍ୟୋତି (ଅର୍ଥାତ୍ ଦୁଇ ଆଖି, ଦୁଇ କାନ, ଦୁଇ ନାସାପୁଡ଼ା ଏବଂ ଗୋଟିଏ ପାଟି) ପ୍ରକାଶିତ ହୁଅନ୍ତି ।
ହୃଦି ହ୍ୟେଷ ଆତ୍ମା । ଅତ୍ରୈତଦେକଶତଂ ନାଡୀନାଂ ତାସାଂ ଶତଂ ଶତମେକୈକସ୍ୟାଂ ଦ୍ୱାସପ୍ତତିର୍ଦ୍ୱାସପ୍ତତିଃ ପ୍ରତିଶାଖାନାଡୀସହସ୍ରାଣି ଭବନ୍ତ୍ୟାସୁ ବ୍ୟାନଶ୍ଚରତି ॥ ୩.୬ ॥
ଏହି ଆତ୍ମା ହୃଦୟରେ ଅବସ୍ଥାନ କରନ୍ତି । ଏହି ହୃଦୟରୁ ମୋଟ ୧୦୧ଟି ମୁଖ୍ୟ ନାଡ଼ୀ ବାହାରିଛନ୍ତି । ସେହି ପ୍ରତ୍ୟେକ ନାଡ଼ୀର ପୁଣି ୧୦୦ଟି କରି ଶାଖା-ନାଡ଼ୀ ଅଛି । ପୁଣି ସେହି ପ୍ରତ୍ୟେକ ଶାଖା-ନାଡ଼ୀର ୭୨,୦୦୦ କରି ପ୍ରତିଶାଖା-ନାଡ଼ୀ ରହିଛି । ଏହି ସମସ୍ତ ନାଡ଼ୀଗୁଡ଼ିକ ମଧ୍ୟରେ ‘ବ୍ୟାନ‘ ନାମକ ବାୟୁ ବିଚରଣ କରେ ।
ଅଥୈକୟୋର୍ଦ୍ଧ୍ୱ ଉଦାନଃ ପୁଣ୍ୟେନ ପୁଣ୍ୟଂ ଲୋକଂ ନୟତି ପାପେନ ପାପମୁଭାଭ୍ୟାମେବ ମନୁଷ୍ୟଲୋକମ୍ ॥ ୩.୭ ॥
ଏହି ସମସ୍ତ ନାଡ଼ୀମାନଙ୍କ ମଧ୍ୟରୁ ଯେଉଁ ଗୋଟିଏ ନାଡ଼ୀ (ସୁଷୁମ୍ନା) ଉପରକୁ ଯାଇଛି, ସେଥିରେ ‘ଉଦାନ‘ ବାୟୁ ବିଚରଣ କରେ । ଏହି ଉଦାନ ବାୟୁ ବ୍ୟକ୍ତିର ପୁଣ୍ୟ କର୍ମ ଦ୍ୱାରା ତାକୁ ପୁଣ୍ୟ ଲୋକକୁ (ସ୍ୱର୍ଗ) ନେଇଯାଏ , ପାପ କର୍ମ ଦ୍ୱାରା ପାପ ଲୋକକୁ (ନର୍କ)ନେଇଯାଏ ଏବଂ ଉଭୟ ପାପ-ପୁଣ୍ୟ ମିଶ୍ରିତ ହୋଇଥିଲେ ପୁଣିଥରେ ଏହି ‘ମନୁଷ୍ୟ ଲୋକ‘କୁ ମାନେ (ପୃଥିବୀକୁ) ନେଇଆସି ପ୍ରତିଷ୍ଠିତ କରାଇଥାଏ ।
ଆଦିତ୍ୟୋ ହ ବୈ ବାହ୍ୟଃ ପ୍ରାଣ ଉଦୟତ୍ୟେଷ ହ୍ୟେନଂ ଚାକ୍ଷୁଷଂ ପ୍ରାଣମନୁଗୃହ୍ଣାନଃ । ପୃଥିବ୍ୟାଂ ଯା ଦେବତା ସୈଷା ପୁରୁଷସ୍ୟାପାନମବଷ୍ଟଭ୍ୟାନ୍ତରା ଯଦାକାଶଃ ସ ସମାନୋ ବାୟୁର୍ବ୍ୟାନଃ ॥ ୩.୮ ॥
ନିଶ୍ଚିତ ଭାବରେ ସୂର୍ଯ୍ୟ ହିଁ ବାହ୍ୟ ଜଗତର ‘ପ୍ରାଣ‘, ଯିଏ ଉଦିତ ହୋଇ ଆଖିରେ ଥିବା ଚାକ୍ଷୁଷ-ପ୍ରାଣ ଉପରେ ଅନୁଗ୍ରହ କରନ୍ତି (ଦେଖିବାର ଶକ୍ତି ଦିଅନ୍ତି)। ପୃଥିବୀର ଯେଉଁ ଅଭିମାନିନୀ ଦେବତା ବା ଶକ୍ତି (ମାଧ୍ୟାକର୍ଷଣ ଶକ୍ତି), ସେ ମନୁଷ୍ୟ ଶରୀରର ‘ଅପାନ‘ ବାୟୁକୁ ନିୟନ୍ତ୍ରଣ କରି ଧରି ରଖନ୍ତି । ଆକାଶ ଓ ପୃଥିବୀ ମଧ୍ୟରେ ଥିବା ଯେଉଁ ଶୂନ୍ୟ ସ୍ଥାନ (ଅନ୍ତରୀକ୍ଷ), ସେ ହେଉଛି ‘ସମାନ‘ ବାୟୁ ଏବଂ ବାହ୍ୟ ଜଗତର ପ୍ରବାହିତ ବାୟୁ ହେଉଛି ‘ବ୍ୟାନ‘ ।
ତେଜୋ ହ ବା ଉଦାନସ୍ତସ୍ମାଦୁପଶାନ୍ତତେଜାଃ । ପୁନର୍ଭବମିନ୍ଦ୍ରିୟୈର୍ମନସି ସମ୍ପଦ୍ୟମାନୈଃ ॥ ୩.୯ ॥
ବାହ୍ୟ ଜଗତର ଯେଉଁ ସାମାନ୍ୟ ତେଜ (ଉତ୍ତାପ ବା ଅଗ୍ନି), ତାହା ହିଁ ଶରୀରରେ ‘ଉଦାନ‘ ବାୟୁ ଅଟେ । ସେଥିପାଇଁ ଯେତେବେଳେ ମଣିଷର ଏହି ଶାରୀରିକ ତେଜ ବା ଉତ୍ତାପ ଶାନ୍ତ ହୋଇଯାଏ (ଶରୀର ଥଣ୍ଡା ପଡ଼ିଯାଏ), ସେତେବେଳେ ସେ ମୃତ୍ୟୁ ବରଣ କରେ । ଏହି ସମୟରେ ତାହାର ସମସ୍ତ ଇନ୍ଦ୍ରିୟ ମନରେ ବିଲୀନ ହୋଇଯାଆନ୍ତି ଏବଂ ସେହି ବ୍ୟକ୍ତି ନିଜର ପୂର୍ବ ସଂସ୍କାର ସହିତ ପୁନର୍ଜନ୍ମ ପ୍ରାପ୍ତ ହୁଏ ।
ପ୍ରଶ୍ନଉପନିଷଦର ତୃତୀୟ ପ୍ରଶ୍ନ –
ଯଚ୍ଚିତ୍ତସ୍ତେନୈଷ ପ୍ରାଣମାୟାତି ପ୍ରାଣସ୍ତେଜସା ଯୁକ୍ତଃ । ସହାତ୍ମନା ଯଥାସଂକଳ୍ପିତଂ ଲୋକଂ ନୟତି ॥ ୩.୧୦ ॥
ମୃତ୍ୟୁ ସମୟରେ ମଣିଷର ମନର ଚିତ୍ତରେ ଯେଉଁ ଚିନ୍ତା ବା ସଂକଳ୍ପ ଯେଉଁପରି ଥାଏ, ସେହି ଚିନ୍ତାଧାରା ସହିତ ସେ ମୁଖ୍ୟ ପ୍ରାଣ ନିକଟକୁ ଆସେ । ସେହି ପ୍ରାଣ ‘ଉଦାନ‘ ବାୟୁର ତେଜ ସହିତ ଯୁକ୍ତ ହୋଇ ଏବଂ ଜୀବାତ୍ମାକୁ ସାଙ୍ଗରେ ଧରି, ବ୍ୟକ୍ତିର ସେହି ଶେଷ ସଂକଳ୍ପ ବା ଭାବନା ଅନୁସାରେ ତାକୁ ସେହିଭଳି ନୂତନ ଲୋକ (ବା ଶରୀର)କୁ ନେଇଯାଏ ।
ଯ ଏବଂ ବିଦ୍ୱାନ୍ ପ୍ରାଣଂ ବେଦ ନ ହାସ୍ୟ ପ୍ରଜା ହୀୟତେଽମୃତୋ ଭବତି ତଦେଷ ଶ୍ଲୋକଃ ॥ ୩.୧୧ ॥
ଯେଉଁ ବିଦ୍ୱାନ୍ ବ୍ୟକ୍ତି ପ୍ରାଣକୁ ଏହିପରି ଭାବରେ (ଅର୍ଥାତ୍ ଏହାର ଉତ୍ପତ୍ତି, ସ୍ଥିତି ଓ ବିଭାଜନ ସହିତ) ଜାଣନ୍ତି, ତାଙ୍କର ବଂଶ ବା ସନ୍ତାନସନ୍ତତି କେବେ ବି ନଷ୍ଟ ହୁଅନ୍ତି ନାହିଁ ,ଏବଂ ସେ ନିଜେ ମଧ୍ୟ ଅମରତ୍ୱ ପ୍ରାପ୍ତ ହୁଅନ୍ତି । ଏହି ବିଷୟରେ ନିମ୍ନଲିଖିତ ଶ୍ଳୋକଟି (ସଂକ୍ଷେପରେ) କୁହାଯାଇଛି ।
ଉତ୍ପତ୍ତିମାୟତିଂ ସ୍ଥାନଂ ବିଭୁତ୍ୱଂ ଚୈବ ପଞ୍ଚଧା । ଅଧ୍ୟାତ୍ମଂ ଚୈବ ପ୍ରାଣସ୍ୟ ବିଜ୍ଞାୟାମୃତମଶ୍ନୁତେ ବିଜ୍ଞାୟାମୃତମଶ୍ନୁତ ଇତି ॥ ୩.୧୨ ॥
ଯେଉଁ ବ୍ୟକ୍ତି ପ୍ରାଣତତ୍ଵର ଉତ୍ପତ୍ତି (ପରମାତ୍ମାଙ୍କ ଠାରୁ ଜନ୍ମ), ଆୟତି (ଶରୀରରେ ପ୍ରବେଶ), ସ୍ଥାନ (ହୃଦୟ ଓ ନାଡ଼ୀରେ ଅବସ୍ଥାନ), ବିଭୁତ୍ୱ (ସମ୍ରାଟଙ୍କ ଭଳି ପଞ୍ଚପ୍ରାଣରେ ବିଭାଜିତ ହୋଇ ଶରୀର ପରିଚାଳନା) ଏବଂ ଏହାର ଅଧ୍ୟାତ୍ମ (ବାହ୍ୟ ଜଗତର ଦେବତାଙ୍କ ସହ ସମ୍ପର୍କ) ବିଷୟରେ ସମ୍ୟକ ରୂପେ ଜାଣିଯାଏ, ସେହି ଜ୍ଞାନୀ ବ୍ୟକ୍ତି ଅମୃତତ୍ୱ ଲାଭ କରେ ।
॥ ଇତି ତୃତୀୟଃ ପ୍ରଶ୍ନଃ ସମାପ୍ତଃ ॥
ପ୍ରଶ୍ନଉପନିଷଦର ତୃତୀୟ ପ୍ରଶ୍ନ
ପ୍ରଶ୍ନଉପନିଷଦର ଦୁତୀୟ ପ୍ରଶ୍ନ – ପ୍ରଶ୍ନଉପନିଷଦର ଦୂତୀୟ ପ୍ରଶ୍ନ
https://en.wikipedia.org/wiki/Prashna_Upanishad
ଆଉ ଅଧିକ ଜାଣିବାପାଇଁ ଦେଖନ୍ତୁ – http://odialifelesson.in
