
ପ୍ରଶ୍ନଉପନିଷଦର ଦୂତୀୟ ପ୍ରଶ୍ନ
|| ଅଥ ଦ୍ୱିତୀୟଃ ପ୍ରଶ୍ନଃ ||
ଅଥ ହୈନଂ ଭାର୍ଗବୋ ବୈଦର୍ଭିଃ ପପ୍ରଚ୍ଛ । ଭଗବନ୍ କତ୍ୟେବ ଦେବାଃ ପ୍ରଜାଂ ବିଧାରୟନ୍ତେ କତର ଏତତ୍ ପ୍ରକାଶୟନ୍ତେ କଃ ପୁନରେଷାଂ ବରିଷ୍ଠ ଇତି ॥ ୨.୧ ॥
ଏହାପରେ ବିଦର୍ଭ ଦେଶର ଭୃଗୁବଂଶୀୟ ମହର୍ଷି ଭାର୍ଗବ ଗୁରୁ ପିପ୍ପଲାଦଙ୍କୁ ଦ୍ୱିତୀୟ ପ୍ରଶ୍ନ ପଚାରିଲେ ହେ ଭଗବନ୍! କେତେ ଜଣ ଦେବତା (ଏଠାରେ ଦେବତା ଅର୍ଥାତ୍ ପଞ୍ଚଭୂତ ଏବଂ ଇନ୍ଦ୍ରିୟଗୁଡ଼ିକ) ଏହି ପ୍ରଜାଙ୍କୁ (ଜୀବର ଶରୀରକୁ) ଧାରଣ କରନ୍ତି? ସେମାନଙ୍କ ମଧ୍ୟରୁ କେଉଁମାନେ ଏହାକୁ ପ୍ରକାଶ କରନ୍ତି (ଅର୍ଥାତ୍ ଶରୀରର କାର୍ଯ୍ୟକୁ ସକ୍ରିୟ କରି ରଖିବାରେ ନିଜର ଶକ୍ତି ପ୍ରଦର୍ଶନ କରନ୍ତି)? ଏବଂ ସେମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ବା ବରିଷ୍ଠ କିଏ ?
ଏହି ପ୍ରଶ୍ନଟି ମଣିଷ ଶରୀରର ଗଠନ ଏବଂ ଏହାକୁ ଚଳାଉଥିବା ପ୍ରକୃତ ମାଲିକ ବା ଶକ୍ତି (ପ୍ରାଣ) ବିଷୟରେ ଅଟେ ।
ତସ୍ମୈ ସ ହୋବାଚାକାଶୋ ହ ବା ଏଷ ଦେବୋ ବାୟୁରଗ୍ନିରାପଃ ପୃଥିବୀ ବାଙ୍ମନଶ୍ଚକ୍ଷୁଃ ଶ୍ରୋତ୍ରଂ ଚ । ତେ ପ୍ରକାଶ୍ୟାଭିବଦନ୍ତି ବୟମେତଦ୍ବାଣମବଷ୍ଟଭ୍ୟ ବିଧାରୟାମଃ ॥ ୨.୨ ॥
ମହର୍ଷି ପିପ୍ପଲାଦ ତାଙ୍କୁ ଉତ୍ତର ଦେଲେ ଆକାଶ, ବାୟୁ, ଅଗ୍ନି, ଜଳ ଏବଂ ପୃଥିବୀ (ଏହି ପଞ୍ଚ ମହାଭୂତ) ତଥା ବାକ୍ (କଥା କହିବା ଇନ୍ଦ୍ରିୟ), ମନ, ଚକ୍ଷୁ ଏବଂ ଶ୍ରୋତ୍ର (କାନ) ଆଦି ଇନ୍ଦ୍ରିୟଗୁଡ଼ିକ ହିଁ ସେହି ‘ଦେବତା‘ ଅଟନ୍ତି। ଦିନେ ଏହି ସମସ୍ତେ ନିଜର ମହିମା ଏବଂ ଶକ୍ତି ପ୍ରକାଶ କରି ଗର୍ବର ସହିତ କହିଥିଲେ, ଆମେମାନେ ହିଁ ମିଳିମିଶି ଏହି ବାଣକୁ (ଅର୍ଥାତ୍ ଏହି ନଶ୍ୱର ଶରୀରକୁ) ଏକାଠି ଆଶ୍ରୟ ଦେଇଛୁ ଏବଂ ଧାରଣ କରି ରଖିଛୁ ।
ତାନ୍ ବରିଷ୍ଠଃ ପ୍ରାଣ ଉବାଚ । ମା ମୋହମାପଦ୍ୟଥାହମେବୈତତ୍ ପଞ୍ଚଧାତ୍ମାନଂ ପ୍ରବିଭଜ୍ୟୈତଦ୍ବାଣମବଷ୍ଟଭ୍ୟ ବିଧାରୟାମୀତି ତେଽଶ୍ରଦ୍ଦଧାନା ବଭୂବୁଃ ॥ ୨.୩ ॥
ସେତେବେଳେ ସମସ୍ତଙ୍କ ଠାରୁ ଶ୍ରେଷ୍ଠ ‘ପ୍ରାଣ‘ (ମୁଖ୍ୟ ପ୍ରାଣଶକ୍ତି ବା Life Force) ସେହି ଇନ୍ଦ୍ରିୟମାନଙ୍କୁ କହିଲେ ତୁମେମାନେ ମୋହ ବା ଅହଂକାରର ବଶବର୍ତ୍ତୀ ହୁଅ ନାହିଁ । କେବଳ ମୁଁ ହିଁ ନିଜକୁ ପାଞ୍ଚ ଭାଗରେ (ପ୍ରାଣ, ଅପାନ, ବ୍ୟାନ, ଉଦାନ, ଏବଂ ସମାନ ରୂପରେ) ବିଭକ୍ତ କରି ଏହି ଶରୀରକୁ (ବାଣକୁ) ଆଶ୍ରୟ ଦେଇଛି ଏବଂ ଧାରଣ କରି ରଖିଛି, କିନ୍ତୁ ସେହି ଦେବତା (ଓ ଇନ୍ଦ୍ରିୟ) ମାନେ ପ୍ରାଣଙ୍କର ଏହି କଥା ଉପରେ ବିଶ୍ୱାସ କଲେ ନାହିଁ (ଅର୍ଥାତ୍ ତାଙ୍କ କଥାକୁ ଅବଜ୍ଞା କଲେ)।
ସୋଽଭିମାନାଦୂର୍ଦ୍ଧ୍ୱମୁତ୍କ୍ରାମତ ଇବ ତସ୍ମିନ୍ନୁତ୍କ୍ରାମତ୍ୟଥେତରେ ସର୍ବ ଏବୋତ୍କ୍ରାମନ୍ତେ ତସ୍ମିଂଶ୍ଚ ପ୍ରତିଷ୍ଠମାନେ ସର୍ବ ଏବ ପ୍ରତିଷ୍ଠନ୍ତେ । ତଦ୍ୟଥା ମକ୍ଷିକା ମଧୁକରରାଜାନମୁତ୍କ୍ରାମନ୍ତଂ ସର୍ବା ଏବୋତ୍କ୍ରାମନ୍ତେ ତସ୍ମିଂଶ୍ଚ ପ୍ରତିଷ୍ଠମାନେ ସର୍ବା ଏବ ପ୍ରତିଷ୍ଠନ୍ତ ଏବଂ ବାଙ୍ମନଶ୍ଚକ୍ଷୁଃ ଶ୍ରୋତ୍ରଂ ଚ ତେ ପ୍ରୀତାଃ ପ୍ରାଣଂ ସ୍ତୁନ୍ୱନ୍ତି ॥ ୨.୪ ॥
ଗୁରୁ ପିପ୍ପଲାଦ କହୁଛନ୍ତି ଅନ୍ୟମାନେ ବିଶ୍ୱାସ ନକରିବାରୁ ସେହି ପ୍ରାଣ ଅଭିମାନ କରି ଶରୀରରୁ ଉପରକୁ ଉଠିବାକୁ (ଅର୍ଥାତ୍ ବାହାରିଯିବାକୁ) ଲାଗିଲେ। ସେ ଯେତେବେଳେ ବାହାରିବାକୁ ଆରମ୍ଭ କଲେ, ସେତେବେଳେ ଅନ୍ୟ ସମସ୍ତ ଇନ୍ଦ୍ରିୟ ମଧ୍ୟ ଆପେ ଆପେ ଶରୀରରୁ ବାହାରିଯିବାକୁ ଲାଗିଲେ। ପୁଣି ସେ (ମୁଖ୍ୟ ପ୍ରାଣ) ଯେତେବେଳେ ନିଜ ସ୍ଥାନରେ ସ୍ଥିର ହୋଇ ରହିଗଲେ, ଅନ୍ୟ ସମସ୍ତେ ମଧ୍ୟ ନିଜ ନିଜ ସ୍ଥାନରେ ସ୍ଥିର ହୋଇଗଲେ। ଏହା ଠିକ୍ ସେହିପରି ଥିଲା, ଯେପରି ମହୁମାଛିଙ୍କ ରାଜା (ମୁଖ୍ୟ ମହୁମାଛି ବା ରାଣୀ ମହୁମାଛି) ଉଡ଼ିଲେ ଅନ୍ୟ ସମସ୍ତ ମହୁମାଛି ମଧ୍ୟ ତାଙ୍କ ପଛେ ପଛେ ଉଡ଼ିବା ଆରମ୍ଭ କରନ୍ତି ଏବଂ ସେ ବସିଗଲେ ଅନ୍ୟ ସମସ୍ତେ ବି ବସିଯାଆନ୍ତି। ସେହିପରି ବାକ୍ (କଥା), ମନ, ଆଖି ଏବଂ କାନ ଆଦି ଇନ୍ଦ୍ରିୟମାନେ ମଧ୍ୟ ପ୍ରାଣଙ୍କର ଅନୁସରଣ କଲେ। ଏବେ ପ୍ରାଣଙ୍କର ଅସଲ ଶକ୍ତିକୁ ବୁଝିପାରି ସନ୍ତୁଷ୍ଟ ହୋଇ ସେମାନେ ପ୍ରାଣଙ୍କର ସ୍ତୁତି କରିବାକୁ ଲାଗିଲେ।
ଏଷୋଽଗ୍ନିସ୍ତପତ୍ୟେଷ ସୂର୍ଯ୍ୟ ଏଷ ପର୍ଜନ୍ୟୋ ମଘବାନେଷ ବାୟୁଃ । ଏଷା ପୃଥିବୀ ରୟିର୍ଦେବଃ ସଦସଚ୍ଚାମୃତଂ ଚ ଯତ୍ ॥ ୨.୫ ॥
ଇନ୍ଦ୍ରିୟମାନେ ସ୍ତୁତି କରି କହୁଛନ୍ତି, ଏହି ପ୍ରାଣ ହିଁ ଅଗ୍ନି ରୂପରେ ଉତ୍ତାପ ପ୍ରଦାନ କରୁଛନ୍ତି, ସେ ହିଁ ସୂର୍ଯ୍ୟ, ସେ ହିଁ ବର୍ଷା (ପର୍ଜନ୍ୟ), ସେ ହିଁ ଦେବରାଜ ଇନ୍ଦ୍ର (ମଘବାନ୍) ଏବଂ ସେ ହିଁ ବାୟୁ ଅଟନ୍ତି। ଏହି ପ୍ରାଣ ହିଁ ପୃଥିବୀ, ରୟି (ପଦାର୍ଥ ବା ଜଡ଼), ଦେବତା (ପ୍ରକାଶ ସ୍ୱରୂପ), ଏବଂ ଯାହା କିଛି ସତ୍ (ସ୍ଥୂଳ ବା ଦୃଶ୍ୟମାନ), ଯାହା କିଛି ଅସତ୍ (ସୂକ୍ଷ୍ମ ବା ଅଦୃଶ୍ୟ) ଏବଂ ଯାହା କିଛି ଅମୃତ ରହିଛି, ସେ ସବୁକିଛି ଏହି ପ୍ରାଣ ହିଁ ଅଟନ୍ତି ।
ଏହି ସୁନ୍ଦର ଶ୍ଳୋକରେ ପ୍ରାଣକୁ ହିଁ ସମଗ୍ର ବ୍ରହ୍ମାଣ୍ଡ ଏବଂ ସମସ୍ତ ଦେବତାଙ୍କର ସ୍ୱରୂପ ବୋଲି ମାନି ନିଆଯାଇଛି ।
ଅରା ଇବ ରଥନାଭୌ ପ୍ରାଣେ ସର୍ବଂ ପ୍ରତିଷ୍ଠିତମ୍ । ଋଚୋ ଯଜୂଂଷି ସାମାନି ଯଜ୍ଞଃ କ୍ଷତ୍ରଂ ବ୍ରହ୍ମ ଚ ॥ ୨.୬ ॥
ଇନ୍ଦ୍ରିୟମାନେ ପ୍ରାଣର ବନ୍ଦନା କରି ଆଗକୁ କହୁଛନ୍ତି ,ଯେପରି ରଥ ଚକର ନାଭିରେ (କେନ୍ଦ୍ରରେ ବା ମଝି ଅଂଶରେ) ଚକର ସମସ୍ତ ଅର (ସ୍ପୋକ୍ ବା spokes) ଲାଗି ରହିଥାଏ, ଠିକ୍ ସେହିପରି ଏହି ପ୍ରାଣରେ ହିଁ ସମଗ୍ର ଜଗତ ପ୍ରତିଷ୍ଠିତ (ବା ଆଶ୍ରିତ) ହୋଇ ରହିଛି । ଋଗବେଦ ,ଯଜୁର୍ବେଦ, ସାମବେଦ, ସମସ୍ତ ଯଜ୍ଞ କର୍ମକାଣ୍ଡ, କ୍ଷତ୍ରିୟ ଏବଂ ବ୍ରାହ୍ମଣ (ଜ୍ଞାନ) ଆଦି ସବୁକିଛି ସେଥିରେ ହିଁ ସନ୍ନିହିତ ସବୁ ଏହି ପ୍ରାଣ ଉପରେ ହିଁ ନିର୍ଭରଶୀଳ ।
ପ୍ରଜାପତିଶ୍ଚରସି ଗର୍ଭେ ତ୍ୱମେବ ପ୍ରତିଜାୟସେ । ତୁଭ୍ୟଂ ପ୍ରାଣ ପ୍ରଜାସ୍ତ୍ୱିମା ବଲିଂ ହରନ୍ତି ଯଃ ପ୍ରାଣୈଃ ପ୍ରତିତିଷ୍ଠସି ॥ ୨.୭ ॥
ହେ ପ୍ରାଣ ! ତୁମେ ହିଁ ପ୍ରଜାପତି, ମାତାର ଗର୍ଭରେ ତୁମେ ହିଁ ବିଚରଣ କରୁଛ ଏବଂ ତୁମେ ହିଁ ମାତା ପିତା ସନ୍ତାନ ରୂପରେ ପୁନର୍ବାର ଜନ୍ମଗ୍ରହଣ କରୁଛ । ହେ ପ୍ରାଣଶକ୍ତି ! ଅନ୍ୟ ଇନ୍ଦ୍ରିୟ (ଉପ-ପ୍ରାଣ) ମାନଙ୍କ ସହିତ ଏହି ଶରୀରରେ ପ୍ରତିଷ୍ଠିତ ଥିବା ତୁମ ପାଇଁ ହିଁ, ଏହି ସମସ୍ତ ପ୍ରଜା (ଅର୍ଥାତ୍ ଆଖି, କାନ ଆଦି ଇନ୍ଦ୍ରିୟମାନେ ଏବଂ ବାହ୍ୟ ଜଗତର ପ୍ରାଣୀମାନେ) ନିଜ ନିଜର ବଳି (ଉପହାର, ଭୋଗ ବା ଆହାର) ସମର୍ପଣ କରିଥାନ୍ତି ।
ଦେବାନାମସି ବହ୍ନିତମଃ ପିତୃଣାଂ ପ୍ରଥମା ସ୍ୱଧା । ଋଷୀଣାଂ ଚରିତଂ ସତ୍ୟମଥର୍ବାଙ୍ଗିରସାମସି ॥ ୨.୮ ॥
ହେ ପ୍ରାଣ! ତୁମେ ହିଁ ଦେବତାମାନଙ୍କ ନିକଟରେ ହବି (ଯଜ୍ଞର ଆହୁତି) ପହଞ୍ଚାଉଥିବା ସର୍ବଶ୍ରେଷ୍ଠ ବାହକ ଅଗ୍ନି ଅଟ। ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ସର୍ବପ୍ରଥମ ‘ସ୍ୱଧା‘ (ଅନ୍ନ ବା ଜଳ ଆହୁତି) ମଧ୍ୟ ତୁମେ ହିଁ ଅଟ ।ଏହି ସତ୍ୟ (ତଥ୍ୟ) ହିଁ ଅଥର୍ବା ଏବଂ ଅଙ୍ଗିରା ଆଦି ମହାନ ଋଷିମାନଙ୍କଦ୍ବାରା ପ୍ରମାଣିତ କରାଯାଇଛି । ପ୍ରକୃତ ଆଚରଣ, କର୍ମବିଧି ଏବଂ ସତ୍ୟ ସ୍ୱରୂପ ତୁମେ ।
ଇନ୍ଦ୍ରସ୍ତ୍ଵଂ ପ୍ରାଣ ତେଜସା, ରୁଦ୍ରୋଽସି ପରିରକ୍ଷିତା ।
ତ୍ୱମନ୍ତରିକ୍ଷେ ଚରସି, ସୂର୍ଯ୍ୟସ୍ତ୍ଵଂ ଜ୍ୟୋତିଷାଂ ପତିଃ॥ ୨.୯॥
ହେ ପ୍ରାଣ! ତୁମେ ହିଁ ଦେବରାଜ ଇନ୍ଦ୍ର ଅଟ, ନିଜର ଅଦ୍ଭୁତ ତେଜ (ଶକ୍ତି ଓ ପରାକ୍ରମ) ବଳରେ ତୁମେ ହିଁ ରୁଦ୍ର , ଆଉ ସମସ୍ତ ପକ୍ଷରୁ ଆମର ସୁରକ୍ଷା କରିବା ବାଲା , ତୁମେ ହିଁ ସମସ୍ତ ଜ୍ୟୋତିର୍ମୟ ପଦାର୍ଥ (ଗ୍ରହ, ନକ୍ଷତ୍ର ଆଦି) ମାନଙ୍କର ସ୍ୱାମୀ ସୂର୍ଯ୍ୟଦେବ ଅଟ । ତୁମେ ହିଁ ଅନ୍ତରୀକ୍ଷରେ (ଆକାଶ ମାର୍ଗରେ) ବିଚରଣ କରୁଛ ।
ପ୍ରଶ୍ନଉପନିଷଦର ଦୂତୀୟ ପ୍ରଶ୍ନ
ଯଦା ତ୍ୱମଭିବର୍ଷସ୍ୟଥେମାଃ ପ୍ରାଣତେ ପ୍ରଜାଃ । ଆନନ୍ଦରୂପାସ୍ତିଷ୍ଠନ୍ତି କାମାୟାନ୍ନଂ ଭବିଷ୍ୟତୀତି ॥ ୨.୧୦ ॥
ହେ ପ୍ରାଣ! ଯେତେବେଳେ ତୁମେ (ମେଘ ରୂପ ଧାରଣ କରି) ବୃଷ୍ଟି ବା ବର୍ଷା କରାଅ, ସେତେବେଳେ ଏହି ସମସ୍ତ ପ୍ରଜା (ଜୀବଜଗତ) ପ୍ରାଣବାନ୍ ହୋଇଉଠନ୍ତି ଏବଂ ପ୍ରଚୁର ଅନ୍ନ (ଖାଦ୍ୟଶସ୍ୟ) ଉତ୍ପନ୍ନ ହେବା ଆଶାରେ ଆନନ୍ଦରେ ଉଲ୍ଲସିତ ହୋଇ ଉଠନ୍ତି ।
ବ୍ରାତ୍ୟସ୍ତ୍ୱଂ ପ୍ରାଣୈକର୍ଷିରତ୍ତା ବିଶ୍ୱସ୍ୟ ସତ୍ପତିଃ । ବୟମାଦ୍ୟସ୍ୟ ଦାତାରଃ ପିତା ତ୍ୱଂ ମାତରିଶ୍ୱ ନଃ ॥ ୨.୧୧ ॥
ହେ ପ୍ରାଣ! ସୃଷ୍ଟିର ସର୍ବପ୍ରଥମେ ଜାତ ହୋଇଥିବାରୁ ତୁମର ଅନ୍ନପ୍ରାଶନ ଆଦି ସଂସ୍କାର କରାଇବା ପାଇଁ କେହି ନଥିଲେ, ତେଣୁ ତୁମେ ବ୍ରାତ୍ୟ (ଅର୍ଥାତ୍ ସ୍ୱଭାବତଃ ଶୁଦ୍ଧ ଏବଂ ସଂସ୍କାର ଅପେକ୍ଷା ରଖୁନଥିବା ସତ୍ତା) ଅଟ। ତୁମେ ‘ଏକର୍ଷି‘ (ଅଥର୍ବବେଦର ପ୍ରଧାନ ଅଗ୍ନି), ସମସ୍ତ ବସ୍ତୁର ଭକ୍ଷଣକାରୀ ବା ଭୋକ୍ତା (ଅତ୍ତା) ଏବଂ ସମଗ୍ର ବିଶ୍ୱର ପ୍ରକୃତ ସ୍ୱାମୀ ବା ରକ୍ଷକ (‘ସତ୍ପତି‘) ଅଟ। ଆମେମାନେ (ଅର୍ଥାତ୍ ଆଖି,କାନ ଆଦି ସମସ୍ତ ଇନ୍ଦ୍ରିୟ) କେବଳ ତୁମର ଖାଦ୍ୟ (ହବିଶ୍ୟ) ଯୋଗାଇ ଦେଉଥିବା ଦାତା ମାତ୍ର । ତୁମେ ହିଁ ଅନ୍ତରୀକ୍ଷରେ ବିଚରଣ କରୁଥିବା ପ୍ରାଣବାୟୁ (‘ମାତରିଶ୍ୱା‘)! ତୁମେ ହିଁ ଆମ ସମସ୍ତଙ୍କର ସମଗ୍ର ଜଗତର ପିତା ଅଟ ।
ଯା ତେ ତନୂର୍ବାଚି ପ୍ରତିଷ୍ଠିତା ଯା ଶ୍ରୋତ୍ରେ ଯା ଚ ଚକ୍ଷୁଷି । ଯା ଚ ମନସି ସନ୍ତତା ଶିବାଂ ତାଂ କୁରୁ ମୋତ୍କ୍ରମୀଃ ॥ ୨.୧୨ ॥
ଇନ୍ଦ୍ରିୟମାନେ ଏବେ ଭୟଭୀତ ହୋଇ ପ୍ରାଣକୁ ଶରୀର ଛାଡ଼ି ନଯିବା ପାଇଁ ଅନୁରୋଧ କରୁଛନ୍ତି ହେ ପ୍ରାଣ! ତୁମର ଯେଉଁ ବାକ୍ୟ ସ୍ୱରୂପ (କଥାରେ), ଯେଉଁ କାନ ସ୍ୱରୂପ ଏବଂ ଯେଉଁ ଆଖି ସ୍ୱରୂପରେ ପ୍ରତିଷ୍ଠିତ ଅଛ । ତୁମର ଏହି ଯେଉଁ ସ୍ୱରୂପ ଆମ ମନ ଭିତରେ ବ୍ୟାପ୍ତ ହୋଇ ରହିଛି, ଦୟାକରି ତୁମର ସେହି ସ୍ୱରୂପକୁ ଆମ ପାଇଁ କଲ୍ୟାଣକାରୀ (ଶାନ୍ତମୟ) କର। ଦୟାକରି ତୁମେ ଉର୍ଦ୍ଧ୍ୱଗାମୀ ହୁଅ ନାହିଁ ଅର୍ଥାତ୍ ଏହି ଶରୀର ଛାଡ଼ି ଯାଅ ନାହିଁ ।
ପ୍ରାଣସ୍ୟେଦଂ ବଶେ ସର୍ବଂ ତ୍ରିଦିବେ ଯତ୍ ପ୍ରତିଷ୍ଠିତମ୍ । ମାତେବ ପୁତ୍ରାନ୍ ରକ୍ଷସ୍ୱ ଶ୍ରୀଶ୍ଚ ପ୍ରଜ୍ଞାଂ ଚ ବିଧେହି ନ ଇତି ॥ ୨.୧୩ ॥
ଇନ୍ଦ୍ରିୟମାନେ ନିଜର ସ୍ତୁତିକୁ ସମାପ୍ତ କରି ପ୍ରାଣ ନିକଟରେ ସମର୍ପଣ ଭାବରେ ପ୍ରାର୍ଥନା କରୁଛନ୍ତି, ଏହି ତିନି ଲୋକରେ (ସ୍ୱର୍ଗ, ମର୍ତ୍ତ୍ୟ ଏବଂ ପାତାଳରେ) ଯାହା କିଛି ବି ପ୍ରତିଷ୍ଠିତ ରହିଛି, ସେ ସବୁକିଛି କେବଳ ପ୍ରାଣଙ୍କର ହିଁ ଅଧୀନରେ (ବଶରେ) ରହିଛି । ହେ ପ୍ରାଣ ଯେପରି ଜଣେ ମାତା ନିଜର ପୁତ୍ରମାନଙ୍କୁ ସମସ୍ତ ବିପଦରୁ ରକ୍ଷା କରନ୍ତି, ସେହିପରି ତୁମେ ଆମକୁ ରକ୍ଷା କର। ଏବଂ ଆମକୁ ଐଶ୍ୱର୍ଯ୍ୟ ତଥା ଉତ୍ତମ ଜ୍ଞାନ ବା ସଦ୍ବୁଦ୍ଧି (ପ୍ରଜ୍ଞା) ପ୍ରଦାନ କର ।
ଏଠାରେ ପ୍ରାଣଙ୍କୁ ଏକ ମାତା ସ୍ୱରୂପ ଦର୍ଶାଯାଇଛି, ଯିଏ ଶରୀରକୁ ପାଳନ ପୋଷଣ କରିବା ସହିତ ରକ୍ଷା ମଧ୍ୟ କରନ୍ତି ।
॥ ଇତି ଦ୍ୱିତୀୟଃ ପ୍ରଶ୍ନଃ ସମାପ୍ତ ।।
