ପ୍ରଶ୍ନଉପନିଷଦ ପ୍ରଥମ ପ୍ରଶ୍ନ

Table of Contents

ପ୍ରଶ୍ନଉପନିଷଦ ପ୍ରଥମ ପ୍ରଶ୍ନ

ପ୍ରଶ୍ନଉପନିଷଦର ଦୂତୀୟ ପ୍ରଶ୍ନ- 

ପ୍ରଶ୍ନଉପନିଷଦ ପ୍ରଥମ ପ୍ରଶ୍ନ – ସୃଷ୍ଟିର ସବୁଠାରୁ

ରହସ୍ୟମୟ ଦିବ୍ୟ ତଥ୍ୟ ( Secret Divine Knowledge)

ପ୍ରଶ୍ନ ଉପନିଷଦର ପ୍ରଥମ ପରିଚୟ

ପ୍ରଶ୍ନୋପନିଷଦ ହେଉଛି ହିନ୍ଦୁ ଧର୍ମର ପ୍ରାଚୀନ ତଥା ପ୍ରମୁଖ ଉପନିଷଦଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହା ଅଥର୍ବବେଦ ସହିତ ଜଡ଼ିତ। ‘ପ୍ରଶ୍ନ’ ଶବ୍ଦରୁ ଏହାର ନାମକରଣ ହୋଇଛି, କାରଣ ଏହି ସମ୍ପୂର୍ଣ୍ଣ ଉପନିଷଦଟି ଗୁରୁ ଏବଂ ଶିଷ୍ୟଙ୍କ ମଧ୍ୟରେ ଥିବା ପ୍ରଶ୍ନ ଏବଂ ଉତ୍ତର ଆକାରରେ ରଚିତ।ଉପନିଷଦଗୁଡ଼ିକୁ ସାଧାରଣତଃ ‘ଅପୌରୁଷେୟ’ (ଅର୍ଥାତ୍ କୌଣସି ସାଧାରଣ ମଣିଷଙ୍କ ଦ୍ୱାରା ନୁହେଁ, ବରଂ ଧ୍ୟାନମଗ୍ନ ଋଷିମାନଙ୍କ ଦ୍ୱାରା ଅନୁଭୂତ ଈଶ୍ୱରୀୟ ଜ୍ଞାନ) ବୋଲି ମାନାଯାଏ । ଏହି ପ୍ରଶ୍ନୋପନିଷଦରେ ଦିଆଯାଇଥିବା ଜ୍ଞାନର ମୁଖ୍ୟ ବକ୍ତା ହେଉଛନ୍ତି ମହାନ ତପସ୍ୱୀ ମହର୍ଷି ପିପ୍ପଳାଦ । ଏହି ଉପନିଷଦରେ ୬ ଜଣ ବ୍ରହ୍ମଜ୍ଞାନ ଅନ୍ୱେଷଣକାରୀ ଶିଷ୍ୟ ଅଛନ୍ତି । ସେମାନେ ହେଲେ- ୧. କବନ୍ଧୀ କାତ୍ୟାୟନ ୨. ଭାର୍ଗବ ବୈଦର୍ଭି ୩. କୌଶଲ୍ୟ ଆଶ୍ୱଳାୟନ ୪. ସୌର୍ଯ୍ୟାୟଣୀ ଗାର୍ଗ୍ୟ ୫. ଶୈବ୍ୟ ସତ୍ୟକାମ ୬. ସୁକେଶା ଭାରଦ୍ୱାଜ । ଏହି ୬ ଜଣ ଜିଜ୍ଞାସୁ ଶିଷ୍ୟ ପରମବ୍ରହ୍ମଙ୍କୁ ଜାଣିବା ପାଇଁ ହାତରେ ସମିଧ (ଯଜ୍ଞ କାଠ) ଧରି ମହର୍ଷି ପିପ୍ପଳାଦଙ୍କ ଆଶ୍ରମରେ ପହଞ୍ଚିଥିଲେ । ଋଷି ସେମାନଙ୍କୁ ସଙ୍ଗେ ସଙ୍ଗେ ଉତ୍ତର ଦେଇନଥିଲେ । ବରଂ ସେ କହିଥିଲେ, “ତୁମେମାନେ ଆହୁରି ଏକ ବର୍ଷ ଧରି ତପସ୍ୟା, ବ୍ରହ୍ମଚର୍ଯ୍ୟ ଏବଂ ଶ୍ରଦ୍ଧାର ସହିତ ଏହି ଆଶ୍ରମରେ ରୁହ। ଗୋଟିଏ ବର୍ଷ ପରେ ତୁମେମାନେ ନିଜର ଇଚ୍ଛାନୁସାରେ ପ୍ରଶ୍ନ ପଚାରିପାରିବ ଏବଂ ମୁଁ ଯଦି ଜାଣିଥିବି, ତେବେ ନିଶ୍ଚୟ ଉତ୍ତର ଦେବି ।
ଏହା ପ୍ରମାଣ କରେ ଯେ, ଉପନିଷଦୀୟ ଜ୍ଞାନ ଲାଭ କରିବା ପାଇଁ କେବଳ ବୌଦ୍ଧିକ କ୍ଷମତା ଯଥେଷ୍ଟ ନୁହେଁ, ବରଂ ଶାରୀରିକ ଏବଂ ମାନସିକ ଅନୁଶାସନ, ସଂଯମ ଏବଂ ଯୋଗ୍ୟତା ଅର୍ଜନ କରିବା ନିହାତି ଆବଶ୍ୟକ । ବର୍ଷକ ପରେ ଶିଷ୍ୟମାନେ ଗୋଟିଏ ପରେ ଗୋଟିଏ ୬ଟି ଗଭୀର ଦାର୍ଶନିକ ପ୍ରଶ୍ନ ପଚାରିଥିଲେ, ଯାହାକୁ ନେଇ ଏହି ଉପନିଷଦ ଗଠିତ ।
ପ୍ରଥମ ପ୍ରଶ୍ନ (କବନ୍ଧୀଙ୍କ ଦ୍ୱାରା): ଏହି ସମସ୍ତ ପ୍ରାଣୀ କେଉଁଠାରୁ ସୃଷ୍ଟି ହୋଇଛନ୍ତି ?
ଦ୍ୱିତୀୟ ପ୍ରଶ୍ନ (ଭାର୍ଗବଙ୍କ ଦ୍ୱାରା): ଶରୀରକୁ କେଉଁ ଦେବତାମାନେ ଧାରଣ କରନ୍ତି ଏବଂ ସେମାନଙ୍କ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ କିଏ ?
ତୃତୀୟ ପ୍ରଶ୍ନ (କୌଶଲ୍ୟଙ୍କ ଦ୍ୱାରା): ଏହି ପ୍ରାଣର ଉତ୍ପତ୍ତି କେଉଁଠାରୁ ହୁଏ ଏବଂ ଏହା ଶରୀରରେ କିପରି କାମ କରେ?
ଚତୁର୍ଥ ପ୍ରଶ୍ନ (ଗାର୍ଗ୍ୟଙ୍କ ଦ୍ୱାରା): ମଣିଷ ଶୋଇବା ସମୟରେ କିଏ ଶୁଏ, କିଏ ଜାଗ୍ରତ ରହେ, କିଏ ସ୍ୱପ୍ନ ଦେଖେ ଏବଂ ଗଭୀର ନିଦ୍ରାର ସୁଖ କିଏ ଉପଭୋଗ କରେ ?
ପଞ୍ଚମ ପ୍ରଶ୍ନ: (ସତ୍ୟକାମଙ୍କ ଦ୍ୱାରା) ଆଜୀବନ ‘ଓଁ’ (ଓଁକାର) ଧ୍ୟାନ କଲେ ମଣିଷ ମୃତ୍ୟୁ ପରେ କେଉଁ ଲୋକକୁ ପ୍ରାପ୍ତ ହୁଏ ?
ଷଷ୍ଠ ପ୍ରଶ୍ନ :(ସୁକେଶାଙ୍କ ଦ୍ୱାରା) ଷୋହଳ କଳା ବିଶିଷ୍ଟ ପୁରୁଷ କିଏ ଏବଂ ସେ କେଉଁଠାରେ ଅଛନ୍ତି ?
                               || ଅଥଃପ୍ରଶ୍ନୋପନିଷଦ ||
                                    || ଶାନ୍ତିପାଠ: ||
              ଓଁ ଭଦ୍ରଂ କର୍ଣ୍ଣେଭିଃ ଶୃଣୁୟାମ ଦେବାଃ ଭଦ୍ରଂ ପଶ୍ୟେମାକ୍ଷଭିର୍ଯଜତ୍ରାଃ।
              ସ୍ଥିରୈରଙ୍ଗୈସ୍ତୁଷ୍ଟୁଵା ସସ୍ତନୂଭିଃ ଵ୍ୟଶେମ ଦେଵହିତଂ ଯଦାୟୁଃ ॥
                ସ୍ଵସ୍ତି ନ ଇନ୍ଦ୍ରୋ ବୃଦ୍ଧଶ୍ରବାଃ ସ୍ଵସ୍ତି ନଃ ପୂଷା ବିଶ୍ଵଵେଦାଃ ।
               ସ୍ଵସ୍ତି ନସ୍ତାର୍କ୍ଷ୍ୟୋ ଅରିଷ୍ଟନେମିଃ ସ୍ଵସ୍ତି ନୋ ବୃହସ୍ପତିର୍ଦଧାତୁ ॥
                               ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ॥
ହେ ଦେବ ! ଆମେ କାନ ଦ୍ବାରା କଲ୍ୟାଣମୟ କଥାକୁ ଶ୍ରବଣ କରୁ । ଆମେ ଆଖିରେ ଶୁଭ ଦୃଶ୍ୟ ଦେଖୁ ଆଉ ସୁସ୍ଥ ରହି ଜୀବନର ଶେଷ ସମୟ ପ୍ରଯନ୍ତ ଦେବ ହିତରେ ଲାଗି ରହୁ । ଇନ୍ଦ୍ରଦେବ ଆମ ପାଇଁ କଲ୍ୟାଣକାରୀ ହୁଅନ୍ତୁ ,ପୁଷାଦେବ ଆମର କଲ୍ୟାଣ କରନ୍ତୁ , ଅରିଷ୍ଟନାଶକ ଗରୁଡ ଦେବ ଆମ ପାଇଁ କଲ୍ୟାଣକାରୀ ହୁଅନ୍ତୁ ତଥା ବୃହସ୍ପତି ଦେବ ସ୍ୱସ୍ଥି ପ୍ରଦାନ କରନ୍ତୁ , ତ୍ରିବିଧ ତାପୋ ରେ ପ୍ରଶମନ ହେଉ ।
ପ୍ରଶ୍ନଉପନିଷଦ ପ୍ରଥମ ପ୍ରଶ୍ନ 

                                    ଓଁ ସୁକେଶା ଚ ଭାରଦ୍ୱାଜଃ ଶୈବ୍ୟଶ୍ଚ ସତ୍ୟକାମଃ
                                   ସୌର୍ଯାୟଣୀ ଚ ଗାର୍ଗ୍ୟଃ କୌଶଲ୍ୟଶ୍ଚାଶ୍ୱଳାୟନଃ।
                                   ଭାର୍ଗବୋ ବୈଦର୍ଭିଃ କବନ୍ଧୀ କାତ୍ୟାୟନଃସ୍ତେ ॥
                                   ହୈତେ ବ୍ରହ୍ମପରା ବ୍ରହ୍ମନିଷ୍ଠାଃ ପରଂ ବ୍ରହ୍ମାନ୍ୱେଷମାଣାଃ।
                                  ଏଷ ହ ବୈ ତତ୍ ସର୍ବଂ ବକ୍ଷ୍ୟତୀତି ତେ ହ ସମିତ୍ପାଣୟଃ
                                      ଭଗବନ୍ତଂ ପିପ୍ପଲାଦମୁପସନ୍ନାଃ॥ 1 ।। 
ଏହି ଶ୍ଳୋକରେ ୬ ଜଣ ଜ୍ଞାନୀ ଋଷିଙ୍କର ପରିଚୟ ଦିଆଯାଇଛି, ଯେଉଁମାନେ ପରମଜ୍ଞାନ ପ୍ରାପ୍ତି ପାଇଁ ଏକାଠି ହୋଇଥିଲେ: ୧. ଭାରଦ୍ୱାଜ ମୁନିଙ୍କ ପୁତ୍ର ସୁକେଶା ୨. ଶିବିଙ୍କ ପୁତ୍ର ସତ୍ୟକାମ ୩. ଗର୍ଗ ଗୋତ୍ରରେ ଜାତ ସୌର୍ଯ୍ୟାୟଣୀ ୪. ଆଶ୍ୱଳଙ୍କ ପୁତ୍ର କୌସଲ୍ୟ ୫. ବିଦର୍ଭ ଦେଶର ଭୃଗୁବଂଶୀ ଭାର୍ଗବ ୬. ଏବଂ କାତ୍ୟ ଗୋତ୍ରର କବନ୍ଧୀ
ଏହି ଛଅ ଜଣ ଋୁଷି ବେଦବିଦ୍ୟାରେ ନିଷ୍ଠା ରଖୁଥିଲେ ଏବଂ ଅପରବ୍ରହ୍ମଙ୍କର (ସଗୁଣ ବ୍ରହ୍ମ) ଉପାସକ ଥିଲେ। ସେମାନେ ପରମବ୍ରହ୍ମ (ପରମାତ୍ମା) ଙ୍କୁ ଜାଣିବା ପାଇଁ ଏବଂ ସେହି ଅନ୍ୱେଷଣରେ ମହର୍ଷି ପିପ୍ପଲାଦ ଆମକୁ ଏହି ସବୁ ବିଷୟରେ ସଠିକ୍ ଜ୍ଞାନ ପ୍ରଦାନ କରିବେ । ଏହି ବିଶ୍ୱାସର ସହିତ ସେମାନେ ନିଜ ନିଜ ହାତରେ ସମିଧା (ଯଜ୍ଞ କାଠ) ଧରି ମହର୍ଷି ପିପ୍ପଲାଦଙ୍କ ନିକଟରେ ଯାଇ ପହଞ୍ଚିଲେ (ବା ତାଙ୍କ ଶରଣାପନ୍ନ ହେଲେ) ।

ତାନ୍ ହ ସ ଋଷିରୁବାଚ ଭୂୟ ଏବ ତପସା ବ୍ରହ୍ମଚର୍ଯ୍ୟେଣ ଶ୍ରଦ୍ଧୟା ସମ୍ବତ୍ସରଂ ସମ୍ବତ୍ସ୍ୟଥ ଯଥାକାମଂ ପ୍ରଶ୍ନାନ୍ ପୃଚ୍ଛତ ଯଦି ବିଜ୍ଞାସ୍ୟାମଃ ସର୍ବଂ ହ ବୋ ବକ୍ଷ୍ୟାମ ଇତି ॥ ୧.୨ ॥
ମହର୍ଷି ପିପ୍ପଲାଦ ସେହି ଋଷିମାନଙ୍କୁ (ଶିଷ୍ୟମାନଙ୍କୁ) କହିଲେ ତୁମେମାନେ ତପସ୍ୟାରତ ରହି ବ୍ରହ୍ମଚର୍ଯ୍ୟପୂର୍ବକ ଏବଂ ଶ୍ରଦ୍ଧାର ସହିତ ଏକ ବର୍ଷ ପର୍ଯ୍ୟନ୍ତ ଏହି ଆଶ୍ରମରେ ବାସ କର (ଅର୍ଥାତ୍ ଏକାଗ୍ରତାର ସହ ସାଧନା କର) । ତା’ପରେ ତୁମେ ତୁମମାନଙ୍କର ଇଚ୍ଛାନୁସାରେ ମୋତେ ପ୍ରଶ୍ନ ପଚାରିବ । ଯଦି ମୁଁ ତାହା ଜାଣିଥିବି ତେବେ ନିଶ୍ଚିତ ଭାବରେ ତୁମମାନଙ୍କୁ ତାହାର ଉତ୍ତର କହିବି ।
ଅଥ କବନ୍ଧୀ କାତ୍ୟାୟନ ଉପେତ୍ୟ ପପ୍ରଚ୍ଛ । ଭଗବନ୍ କୁତୋ ହ ବା ଇମାଃ ପ୍ରଜାଃ ପ୍ରଜାୟନ୍ତ ଇତି ॥ ୧.୩ ॥
ଏକ ବର୍ଷ (ବ୍ରହ୍ମଚର୍ଯ୍ୟ ଓ ତପସ୍ୟା କରିବା) ପରେ କାତ୍ୟାୟନ କବନ୍ଧୀ ଋୁଷି ଗୁରୁ ପିପ୍ପଲାଦଙ୍କ ପାଖକୁ ଯାଇ ପ୍ରଶ୍ନ ପଚାରିଲେ “ହେ ଭଗବନ୍ ! ଏହି ସମସ୍ତ ପ୍ରଜା (ସମଗ୍ର ଜୀବଜଗତ) କାହାଠାରୁ ଉତ୍ପନ୍ନ ହେଉଛନ୍ତି ?
ତସ୍ମୈ ସ ହୋବାଚ ପ୍ରଜାକାମୋ ବୈ ପ୍ରଜାପତିଃ ସ ତପୋଽତପ୍ୟତ ସ ତପସ୍ତପ୍ତ୍ୱା ସ ମିଥୁନମୁତ୍ପାଦୟତେ । ରୟିଂ ଚ ପ୍ରାଣଂ ଚେତ୍ୟେତୌ ମେ ବହୁଧା ପ୍ରଜାଃ କରିଷ୍ୟତ ଇତି ॥ ୧.୪ ॥
ମହର୍ଷି ପିପ୍ପଲାଦ ତାଙ୍କୁ ଉତ୍ତର ଦେଲେ ପ୍ରଜା (ଜୀବଜଗତ) ସୃଷ୍ଟି କରିବା ଇଚ୍ଛାରେ ସୃଷ୍ଟିକର୍ତ୍ତା ପ୍ରଜାପତି (ବ୍ରହ୍ମା) ତପସ୍ୟା କଲେ । ସେହି ତପସ୍ୟା ମାଧ୍ୟମରେ ସେ ଗୋଟିଏ ଯୋଡ଼ା (ମିଥୁନ) ସୃଷ୍ଟି କଲେ। ସେହି ଯୋଡ଼ା ହେଉଛନ୍ତି ‘ରୟି’ (ଅନ୍ନ, ଜଡ଼ ପଦାର୍ଥ ବା Matter) ଏବଂ ‘ପ୍ରାଣ’ (ଚେତନା, ଶକ୍ତି ବା Energy)। ‘ଏହି ଦୁହେଁ ମିଳିତ ହୋଇ ବିଭିନ୍ନ ପ୍ରକାରର ଅନେକ ପ୍ରଜା ସୃଷ୍ଟି କରିବେ ଏହା ବିଚାର କରି ସେ ସେମାନଙ୍କୁ ଉତ୍ପନ୍ନ କଲେ। ପ୍ରାଣ ଗତି ପ୍ରଦାନ କରିବା ବାଲା ଚେତନ ତତ୍ଵ ବା ଶକ୍ତି ତଥା ରୟି ତାହାକୁ ଧାରଣ କରି ବିବିଧ ରୂପ ଦେବାରେ ସମର୍ଥ ହେଲା ପ୍ରକୃତି । ଆଜିର ବିଜ୍ଞାନ ଯୁଗରେ ତାହାକୁ ଚେତନା ଯୁକ୍ତ ଉର୍ଜା (live energy ) ତଥା ପଦାର୍ଥ (matter ) ମଧ୍ୟ କହି ପାରିବା । ଦୁହିଁଙ୍କ ସଂଯୋଗରେ ସୃଷ୍ଟି ହୋଇଥାଏ । ରୟି ହେଲା ଭୋଗ୍ୟ ବସ୍ତୁ ପ୍ରାଣ ତାହାକୁ ଭୋଗିବା ବାଲା , ପ୍ରାଣ ଦୃଷ୍ଟି ଦେବା ବାଲା , ରୟି ସେହି ଦୃଷ୍ଟିରୁ ଉତ୍ପର୍ଣ୍ଣ ସୃଷ୍ଟି । ଯେମିତି ଗାଡିରେ ଖାଲି ତେଲ ପକେଇଲେ ଗାଡି ଚାଲେନାହିଁ ତାକୁ ବିଜୁଳି ମଧ୍ୟ ଦରକାର ଠିକ ସେମିତି ଏହି ଶରୀର ।
ଆଦିତ୍ୟୋ ହ ବୈ ପ୍ରାଣୋ ରୟିରେବ ଚନ୍ଦ୍ରମା ରୟିର୍ବା ଏତତ୍ସର୍ବଂ ଯନ୍ମୂର୍ତ୍ତଂ ଚାମୂର୍ତ୍ତଂ ଚ ତସ୍ମାନ୍ମୂର୍ତ୍ତିରେବ ରୟିଃ ॥ ୧.୫ ॥
ମହର୍ଷି ପିପ୍ପଲାଦ କହୁଛନ୍ତି ଆଦିତ୍ୟ (ସୂର୍ଯ୍ୟଦେବ) ହିଁ ହେଉଛନ୍ତି ପ୍ରାଣ (ଚେତନା ବା ଶକ୍ତି) ସ୍ବରୂପ ଏବଂ ଚନ୍ଦ୍ରମା ହେଉଛନ୍ତି ‘ରୟି’ ପଦାର୍ଥ ସ୍ବରୂପ ( Matter)। ଏହି ଜଗତରେ ଯାହା କିଛି ଦୃଶ୍ୟମାନ ବା ମୂର୍ତ୍ତ (ଆକାର ଥିବା ସ୍ଥୂଳ ପଦାର୍ଥ) ଏବଂ ଅଦୃଶ୍ୟ ବା ଅମୂର୍ତ୍ତ (ଆକାର ନଥିବା ସୂକ୍ଷ୍ମ ପଦାର୍ଥ) ରହିଛି, ସେ ସମସ୍ତ ‘ରୟି’ ଅଟେ । ତେଣୁ ବିଶେଷ କରି ଯାହାର ବି କୌଣସି ଆକାର (ମୂର୍ତ୍ତି ବା Form) ରହିଛି, ତାହାକୁ ରୟି ବୋଲି ହିଁ କୁହାଯାଏ । ପୃଥିବୀ ଉପରେ ପ୍ରାଣ ସଂଚାର ଦୃଶ୍ୟ ସ୍ରୋତ ହେଲା ସୂର୍ଯ୍ୟ, ସୂର୍ଯ୍ୟ ପ୍ରକାଶକ ପ୍ରେରକ ପ୍ରାଣ ସ୍ବରୂପ , ଚନ୍ଦ୍ରମା ସୂର୍ଯ୍ୟ ପ୍ରକାଶରେ ପ୍ରକାଶିତ ପ୍ରୋରୀତ ରୟି ସ୍ବରୂପ ସ୍ଥୂଳ , ସୂକ୍ଷ୍ମ ପ୍ରକୃତିର ସମସ୍ତ ଘଟକ ହେଲା ରୟି ।

ଅଥାଦିତ୍ୟ ଉଦ୍ୟନ୍ ଯତ୍ ପ୍ରାଚୀଂ ଦିଶଂ ପ୍ରବିଶତି ତେନ ପ୍ରାଚ୍ୟାନ୍ ପ୍ରାଣାନ୍ ରଶ୍ମିଷୁ ସନ୍ନିଧତ୍ତେ । ଯଦ୍ଦକ୍ଷିଣାଂ ଯତ୍ ପ୍ରତୀଚୀଂ ଯଦୁଦୀଚୀଂ ଯଦଧୋ ଯଦୂର୍ଦ୍ଧ୍ୱଂ ଯଦନ୍ତରା ଦିଶୋ ଯତ୍ ସର୍ବଂ ପ୍ରକାଶୟତି ତେନ ସର୍ବାନ୍ ପ୍ରାଣାନ୍ ରଶ୍ମିଷୁ ସନ୍ନିଧତ୍ତେ ॥ ୧.୬ ॥
ମହର୍ଷି ପିପ୍ପଲାଦ ବୁଝାଉଛନ୍ତି ରାତ୍ରିର ଅନ୍ତ ସମୟରେ (ସୃଷ୍ଟି ଆରମ୍ଭରେ) ଉଦୟ ହେଉଥିବା ଆଦିତ୍ୟ (ସୂର୍ଯ୍ୟଦେବ) ଯେତେବେଳେ ପ୍ରଥମେ ପୂର୍ବ ଦିଗରେ ପ୍ରବେଶ କରନ୍ତି (ବା ଉଦିତ ହୁଅନ୍ତି) ସେତେବେଳେ ସେ ପୂର୍ବ ଦିଗରେ ଥିବା ସମସ୍ତ ଜୀବଙ୍କୁ ନିଜର ଆଲୋକରଶ୍ମି ମାଧ୍ୟମରେ ପ୍ରାଣଶକ୍ତି ପ୍ରଦାନ କରନ୍ତି (ବା ନିଜ ରଶ୍ମିରେ ଧାରଣ କରନ୍ତି) । ଠିକ୍ ସେହିପରି ସେ ଯେତେବେଳେ ଦକ୍ଷିଣ, ପଶ୍ଚିମ, ଉତ୍ତର, ତଳ, ଉପର ଏବଂ ବିଦିଗ (ଦୁଇ ଦିଗ ମଝିରେ ଥିବା କୋଣ) ଅର୍ଥାତ୍ ଏହି ସମଗ୍ର ଜଗତକୁ ଆଲୋକିତ କରନ୍ତି, ସେତେବେଳେ ସେ ସବୁ ଦିଗରେ ଥିବା ସମସ୍ତ ଦିଗର ପ୍ରାଣକୁ ନିଜ ରଶ୍ମୀଦ୍ବାରା ଧାରଣ କରନ୍ତି । ଜୀବଜଗତକୁ ନିଜର ରଶ୍ମି ଦ୍ୱାରା ପ୍ରାଣ ବା ଜୀବନଦାନ କରନ୍ତି ।
ସ ଏଷ ବୈଶ୍ୱାନରୋ ବିଶ୍ୱରୂପଃ ପ୍ରାଣୋଽଗ୍ନିରୁଦୟତେ । ତଦେତଦୃଚାଭ୍ୟୁକ୍ତମ୍ ॥ ୧.୭ ॥
ମହର୍ଷି ପିପ୍ପଲାଦ କହୁଛନ୍ତି ଏହି ଯେଉଁ ସୂର୍ଯ୍ୟ ଉଦୟ ହେଉଛନ୍ତି, ସେ ହିଁ ସର୍ବାନ୍ତର୍ଯ୍ୟାମୀ ‘ବୈଶ୍ୱାନର’ (ସମସ୍ତ ପ୍ରାଣୀଙ୍କ ଠାରେ ଥିବା ଜୀବନୀଶକ୍ତି ବା ଅଗ୍ନି), ସେ ହିଁ ‘ବିଶ୍ୱରୂପ’ (ସମଗ୍ର ବିଶ୍ୱ ଯାହାଙ୍କର ସ୍ୱରୂପ) ଏବଂ ସେ ହିଁ ପ୍ରାଣ ସ୍ୱରୂପ ‘ଅଗ୍ନି’ ଅଟନ୍ତି । ସୂର୍ୟହିଁ ବେଶ୍ଵାନର, ଅଗ୍ନିରୁପ , ବିଶ୍ଵରୂପ ଆଉ ପ୍ରାଣ ରୂପ ହୋଇ ପ୍ରକଟ ହୁଅନ୍ତି । ଏହି ତତ୍ତ୍ୱ ସୂର୍ଯ୍ୟଙ୍କର ଏହି ପ୍ରାଣ ସ୍ୱରୂପ ବିଷୟରେ ଋଗ୍ବେଦର ଏକ ଋଚା ମନ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି ।

ବିଶ୍ୱରୂପଂ ହରିଣଂ ଜାତବେଦସଂ ପରାୟଣଂ ଜ୍ୟୋତିରେକଂ ତପନ୍ତମ୍ । ସହସ୍ରରଶ୍ମିଃ ଶତଧା ବର୍ତ୍ତମାନଃ ପ୍ରାଣଃ ପ୍ରଜାନାମୁଦୟତ୍ୟେଷ ସୂର୍ଯ୍ୟଃ ॥ ୧.୮ ॥
ଏହି ଯେଉଁ ସୂର୍ଯ୍ୟଦେବ ଉଦୟ ହେଉଛନ୍ତି, ସେ ହିଁ ସମଗ୍ର ବିଶ୍ୱର ରୂପ ଧାରଣ କରିଛନ୍ତି (ବିଶ୍ୱରୂପ), ସେ ଜ୍ଞାନର ଆଲୋକ (ହରିଣମ୍), ସର୍ବଜ୍ଞ ବା ସମସ୍ତ ପଦାର୍ଥକୁ ଜାଣିଥିବା (ଜାତବେଦ), ସମସ୍ତଙ୍କର ପରମ ଆଶ୍ରୟ (ପରାୟଣମ୍), ଅଦ୍ୱିତୀୟ ଜ୍ୟୋତିସ୍ୱରୂପ ତପୋନିଷ୍ଠ ଏବଂ ଅଦିତୀୟ ସର୍ବଦା ଉତ୍ତାପ ପ୍ରଦାନ କରୁଛନ୍ତି । ହଜାର ହଜାର କିରଣ (ସହସ୍ର ରଶ୍ମି) ଧାରଣ କରି ଶହ ଶହ ରୂପରେ ବିଦ୍ୟମାନ ଥିବା ଏହି ସୂର୍ଯ୍ୟଦେବ ହିଁ ସମସ୍ତ ଜୀବଜଗତ (ପ୍ରଜାମାନଙ୍କ) ର ପ୍ରକୃତ ପ୍ରାଣ ହୋଇ ଉଦୟ ହୁଅନ୍ତି ।

ସମ୍ବତ୍ସରୋ ବୈ ପ୍ରଜାପତିସ୍ତସ୍ୟାୟନେ ଦକ୍ଷିଣଂ ଚୋତ୍ତରଂ ଚ । ତଦ୍ୟେ ହ ବୈ ତଦିଷ୍ଟାପୂର୍ତ୍ତେ କୃତମିତ୍ୟୁପାସତେ ତେ ଚାନ୍ଦ୍ରମସମେବ ଲୋକମଭିଜୟନ୍ତେ । ତ ଏବ ପୁନରାବର୍ତ୍ତନ୍ତେ ତସ୍ମାଦେତେ ଋଷୟଃ ପ୍ରଜାକାମା ଦକ୍ଷିଣଂ ପ୍ରତିପଦ୍ୟନ୍ତେ । ଏଷ ହ ବୈ ରୟିର୍ଯଃ ପିତୃଯାଣଃ ॥ ୧.୯ ॥
ମହର୍ଷି ପିପ୍ପଲାଦ କହୁଛନ୍ତି ଏହି ‘ସମ୍ବତ୍ସର’ (ଗୋଟିଏ ବର୍ଷ ବା କାଳ) ହିଁ ହେଉଛି ପ୍ରଜାପତି । ଏହାର ଦୁଇଟି ଅୟନ (ଗତି ବା ମାର୍ଗ) ରହିଛି ଦକ୍ଷିଣାୟନ ଏବଂ ଉତ୍ତରାୟନ । ଯେଉଁମାନେ କେବଳ ‘ଇଷ୍ଟ’ (ଯଜ୍ଞାଦି କର୍ମ) ଏବଂ ‘ପୂର୍ତ୍ତ’ ହେତୁ କୂଅ, ପୋଖରୀ ଖୋଳିବା ଆଦି ସମାଜସେବା ମୂଳକ କର୍ମ କୁ ହିଁ ନିଜର ଶ୍ରେଷ୍ଠ କର୍ତ୍ତବ୍ୟ ମଣି ଉପାସନା କରନ୍ତି, ସେମାନେ କେବଳ ଚନ୍ଦ୍ରଲୋକ ହିଁ ପ୍ରାପ୍ତ କରନ୍ତି । ଚନ୍ଦ୍ରଲୋକ ପ୍ରାପ୍ତ କରିଥିବା ଏହି ବ୍ୟକ୍ତିମାନେ ନିଜ ପୁଣ୍ୟ କ୍ଷୟ ହେବା ପରେ ପୁଣିଥରେ ଏହି ପୃଥିବୀକୁ ଫେରିଆସନ୍ତି ବା ପୁନର୍ଜନ୍ମ ନିଅନ୍ତି । ତେଣୁ ସନ୍ତାନ ଏବଂ ସାଂସାରିକ ସୁଖ କାମନା କରୁଥିବା ଏହି ଋଷି ବା ଗୃହସ୍ଥମାନେ ଦକ୍ଷିଣ ମାର୍ଗ ଦକ୍ଷିଣାୟନ ଦେଇ ଗତି କରନ୍ତି । ଏହି ଯେଉଁ ପିତୃଯାଣ (ପିତୃପୁରୁଷଙ୍କର ମାର୍ଗ) ଅଛି ତାହା ହିଁ ‘ରୟି’ ପଦାର୍ଥ ବା ନଶ୍ୱର ଜଗତ ଅଟେ । ଚନ୍ଦ୍ର ଶବ୍ଦ ଚଦି ଧାତୁରୁ ଆସିଛି ଯାହାର ଅର୍ଥ ହେଲା ସୁଖ । ଯେଉଁମାନେ ଲୋକିକ ସୁଖ ପାଇଁ ସାଂସାରିକ ସୁଖ ପ୍ରାପ୍ତି ପାଇଁ ନିଜର ଉର୍ଜା ଶକ୍ତିକୁ ନିୟୋଯୀତ କରି ପ୍ରଜା ସୃଷ୍ଠି କରନ୍ତି ସେମାନେ ଜୀବନ ମୃତ୍ୟୁ ଚକ୍ର ଚଲାଇବାରେ ସହାୟକ ହୁଅନ୍ତି ।

ପ୍ରଶ୍ନଉପନିଷଦ ପ୍ରଥମ ପ୍ରଶ୍ନ

“ଏହିପରି ଆମର ପ୍ରଶ୍ନଉପନିଷଦର ଦୂତୀୟ ପ୍ରଶ୍ନ ପଢନ୍ତୁhttps://odialifelesson.in
ଅଥୋତ୍ତରେଣ ତପସା ବ୍ରହ୍ମଚର୍ଯ୍ୟେଣ ଶ୍ରଦ୍ଧୟା ବିଦ୍ୟୟାତ୍ମାନମନ୍ୱିଷ୍ୟାଦିତ୍ୟମଭିଜୟନ୍ତେ । ଏତଦ୍ୱୈ ପ୍ରାଣାନାମାୟତନମେତଦମୃତମଭୟମେତତ୍ପରାୟଣମେତସ୍ମାନ୍ନ ପୁନରାବର୍ତ୍ତନ୍ତ ଇତ୍ୟେଷ ନିରୋଧସ୍ତଦେଷ ଶ୍ଳୋକଃ ॥ ୧.୧୦ ॥
ମହର୍ଷି ପିପ୍ପଲାଦ ଆଗକୁ ବୁଝାଉଛନ୍ତି ଅନ୍ୟପକ୍ଷରେ, ଯେଉଁମାନେ ତପସ୍ୟା, ବ୍ରହ୍ମଚର୍ଯ୍ୟ, ଶ୍ରଦ୍ଧା ଏବଂ ବିଦ୍ୟା (ଆତ୍ମଜ୍ଞାନ) ମାଧ୍ୟମରେ ନିଜ ଆତ୍ମାକୁ ଅନ୍ୱେଷଣ କରି (ବା ଜାଣି) ଉତ୍ତର ମାର୍ଗ (ଉତ୍ତରାୟଣ ବା ଦେବଯାନ ମାର୍ଗ) ରେ ଗତି କରନ୍ତି, ସେମାନେ ଆଦିତ୍ୟ (ସୂର୍ଯ୍ୟଲୋକ) ଙ୍କୁ ବିଜୟ ବା ପ୍ରାପ୍ତ କରନ୍ତି। ଏହା ହିଁ ହେଉଛି ସମସ୍ତ ପ୍ରାଣମାନଙ୍କର ପ୍ରକୃତ ଆଶ୍ରୟସ୍ଥଳ ବା ଉତ୍ସ । ସେ ହିଁ ଅଭୟ ସେ ହିଁ ଅବିନାଶୀ ଏବଂ ଏହା ହିଁ ସର୍ବୋଚ୍ଚ ପରମଗତି । ଏହି ସ୍ଥାନକୁ ପ୍ରାପ୍ତ କରିବା ପରେ ଜୀବ ଆଉ ଏହି ସଂସାରକୁ ଫେରିଆସେ ନାହିଁ (ଅର୍ଥାତ୍ ପୁନର୍ଜନ୍ମ ହୁଏ ନାହିଁ ଏବଂ ମୁକ୍ତି ମିଳିଯାଏ) । ଏହା ହିଁ ଆବାଗମନର (ଜନ୍ମ-ମୃତ୍ୟୁ ଚକ୍ରର) ନିରୋଧ । ସୂର୍ଯ୍ୟ (ପ୍ରେରକ ଉର୍ଜା ସ୍ରୋତ)କୁ ଲକ୍ଷ୍ୟ କରି ସାଧକ ନିଜ ଉର୍ଜାକୁ ନିୟୋଯିତ କରି ସେହି ସୃଜେତା (ପରମାତ୍ମା )ଏକାତ୍ମା ରୂପ ହୋଇ ଯାଏ । ଏହି ପ୍ରକ୍ରିୟାରେ ବ୍ରହ୍ମଚର୍ଯ୍ୟ, ଶ୍ରଦ୍ଧା ଆଦି ପ୍ରୟୋଗ କରିବାକୁ ପଡେ । ଏହି ବିଷୟରେ ମଧ୍ୟ ଆଗକୁ ଏକ ଶ୍ଳୋକ ଅଛି ।
ପଞ୍ଚପାଦଂ ପିତରଂ ଦ୍ୱାଦଶାକୃତିଂ ଦିବ ଆହୁଃ ପରେ ଅର୍ଦ୍ଧେ ପୁରୀଷିଣମ୍ । ଅଥେମେ ଅନ୍ୟ ଉ ପରେ ବିଚକ୍ଷଣଂ ସପ୍ତଚକ୍ରେ ଷଡର ଆହୁରର୍ପିତମିତି ॥ ୧.୧୧ ॥
ଏହି ଶ୍ଳୋକରେ କାଳ ବା ‘ସମ୍ବତ୍ସର’କୁ ସୂର୍ଯ୍ୟଦେବଙ୍କ ରୂପରେ ବର୍ଣ୍ଣନା କରି କୁହାଯାଇଛି କେତେକ ଜ୍ଞାନୀ ବ୍ୟକ୍ତି କହନ୍ତି ଯେ ଏହି କାଳରୂପୀ ସୂର୍ଯ୍ୟ ହେଉଛନ୍ତି ସମସ୍ତଙ୍କର ପିତା, ଯାହାଙ୍କର ପାଞ୍ଚୋଟି ପାଦ (ପଞ୍ଚ ପ୍ରାଣ ବା ପଞ୍ଚ ତତ୍ଵ ) ବା (ପାଞ୍ଚୋଟି ଋତୁ ଏଠାରେ ହେମନ୍ତ ଓ ଶିଶିରକୁ ଗୋଟିଏ ଋତୁ ଭାବରେ ଧରାଯାଇଛି) ଏବଂ ବାରଟି ଆକୃତି (ବାରଟି ମାସ) ରହିଛି । ସେ ଦ୍ଲୋକ ମଝିରେ ଅନ୍ତରିକ୍ଷ ରେ ଜଳକୁ ଧାରଣ କରନ୍ତି । ସେ ଜଳବୃଷ୍ଟିର କାରଣ ହୋଇ ଆକାଶର ଉର୍ଦ୍ଧ୍ୱ ଭାଗରେ ଅବସ୍ଥାନ କରନ୍ତି । ଅନ୍ୟ କେତେକ ବିଦ୍ୱାନ କହନ୍ତି ଯେ ଏହି ସର୍ବଦର୍ଶୀ ଜ୍ଞାନୀ ସୂର୍ଯ୍ୟ ଏପରି ଏକ ରଥରେ ବିଦ୍ୟମାନ ଅଛନ୍ତି ଯାହାର ସାତୋଟି ଚକ୍ର (ସାତ ବାର) ବା ଘୋଡ଼ା (ସୂର୍ଯ୍ୟଙ୍କର ସାତୋଟି ରଶ୍ମି) ଏବଂ ଛଅଟି ଅର (ଛଅଟି ଋତୁ) ରହିଛି । ଏହି ସମଗ୍ର ଜୀବଜଗତ ତାଙ୍କରି ଉପରେ ହିଁ ପ୍ରତିଷ୍ଠିତ ଏବଂ ନିର୍ଭରଶୀଳ ଅଟେ ।
ମାସୋ ବୈ ପ୍ରଜାପତିସ୍ତସ୍ୟ କୃଷ୍ଣପକ୍ଷ ଏବ ରୟିଃ ଶୁକ୍ଳଃ ପ୍ରାଣସ୍ତସ୍ମାଦେତେ ଋଷୟଃ ଶୁକ୍ଳ ଇଷ୍ଟଂ କୁର୍ବନ୍ତୀତର ଇତରସ୍ମିନ୍ ॥ ୧.୧୨ ॥
ମହର୍ଷି ପିପ୍ପଲାଦ ଆଗକୁ ବୁଝାଉଛନ୍ତି ଗୋଟିଏ ‘ମାସ’ ମଧ୍ୟ ପ୍ରଜାପତି (ସୃଷ୍ଟିକର୍ତ୍ତାଙ୍କର ରୂପ) ଅଟେ । ଏହାର କୃଷ୍ଣପକ୍ଷ ହିଁ ହେଉଛି ‘ରୟି’ (ପଦାର୍ଥ ବା ଜଡ଼) ଏବଂ ଶୁକ୍ଳପକ୍ଷ ହେଉଛି ‘ପ୍ରାଣ’ (ଶକ୍ତି ବା ଚେତନା) । ସେହି କାରଣରୁ ଯେଉଁ ଜ୍ଞାନୀ ଋଷିମାନେ ଦ୍ରଷ୍ଟା ମାନେ (ଏହି ପ୍ରାଣରୂପୀ ଶୁକ୍ଳପକ୍ଷର ମହତ୍ତ୍ୱ ବୁଝନ୍ତି) ସେମାନେ ନିଜର ଯଜ୍ଞ ଏବଂ ଇଷ୍ଟ କର୍ମମାନ କେବଳ ଶୁକ୍ଳପକ୍ଷରେ ହିଁ ସମ୍ପନ୍ନ କରନ୍ତି । କିନ୍ତୁ ଅନ୍ୟ ଅଜ୍ଞାନୀମାନେ ଅନ୍ୟ ପକ୍ଷରେ ଅର୍ଥାତ୍ କୃଷ୍ଣପକ୍ଷରେ ଯଜ୍ଞାଦି କର୍ମ କରିଥାନ୍ତି । ଶୁକ୍ଳପକ୍ଷରେ ପ୍ରକାଶ ବଢିଥାଏ , ଶୁକ୍ଳପକ୍ଷରେ ଇଷ୍ଟ କର୍ମର ଭାବ ଥାଏ ଉର୍ଜା ଉତ୍ପାଦନ କର୍ମ , କୃଷ୍ଣପକ୍ଷରେ କର୍ମର ଭାବ ଥାଏ ଉର୍ଜା ନିୟୋଯିତ କର୍ମ ।
ଏହି ଶ୍ଳୋକରେ ସମୟର ବିଭାଜନ (ମାସ ଏବଂ ପକ୍ଷ) କୁ ସୃଷ୍ଟିର ଦୁଇ ମୂଳ ତତ୍ତ୍ୱ (ପ୍ରାଣ ଏବଂ ରୟି) ସହିତ ଯୋଡ଼ି ବହୁତ ସୁନ୍ଦର ଭାବରେ ବୁଝାଯାଇଛି । ସାଧାରଣତଃ ଶୁଭ କାର୍ଯ୍ୟ ପାଇଁ ଶୁକ୍ଳପକ୍ଷକୁ କାହିଁକି ବଛାଯାଏ, ଏହା ତାହାର ଏକ ଦାର୍ଶନିକ ତଥା ବୈଜ୍ଞାନିକ ଉତ୍ତର ପ୍ରଦାନ କରୁଛି ।
ଅହୋରାତ୍ରୋ ବୈ ପ୍ରଜାପତିସ୍ତସ୍ୟାହରେବ ପ୍ରାଣୋ ରାତ୍ରିରେବ ରୟିଃ । ପ୍ରାଣଂ ବା ଏତେ ପ୍ରସ୍କନ୍ଦନ୍ତି ଯେ ଦିବା ରତ୍ୟା ସଂଯୁଜ୍ୟନ୍ତେ ବ୍ରହ୍ମଚର୍ଯ୍ୟମେବ ତଦ୍ୟଦ୍ରାତ୍ରୌ ରତ୍ୟା ସଂଯୁଜ୍ୟନ୍ତେ ॥ ୧.୧୩ ॥
ମହର୍ଷି ପିପ୍ପଲାଦ ଆଗକୁ ବୁଝାଉଛନ୍ତି ଏହି ‘ଅହୋରାତ୍ର’ (ଦିନ ଏବଂ ରାତିର ସମାହାର) ମଧ୍ୟ ପ୍ରଜାପତି ଅଟନ୍ତି। ଏଥିରୁ ଦିନ ହିଁ ହେଉଛି ‘ପ୍ରାଣ’ ଏବଂ ରାତି ହେଉଛି ‘ରୟି’ । ଯେଉଁମାନେ ଦିନବେଳେ ରତିକ୍ରୀଡ଼ା ବା ସହବାସ କରନ୍ତି, ସେମାନେ ନିଜର ଆୟୁଷ ଓ ପ୍ରାଣଶକ୍ତିକୁ ନଷ୍ଟ କରିଦିଅନ୍ତି (କାରଣ ଦିନ ହେଉଛି ପ୍ରାଣର ସମୟ) । କିନ୍ତୁ ଗୃହସ୍ଥ ଆଶ୍ରମରେ ରହି ଯେଉଁମାନେ ଋତୁକାଳ ଅନୁଯାୟୀ କେବଳ ରାତିରେ ସହବାସ କରନ୍ତି ଆଉ ତାର କର୍ମଫଳରେ ଲିପ୍ତ ହୁଅନ୍ତି ନାହିଁ, ସେମାନଙ୍କର ସେହି ଆଚରଣକୁ ବ୍ରହ୍ମଚର୍ଯ୍ୟ ବୋଲି ହିଁ ଗ୍ରହଣ କରାଯାଏ ।
ଗୃହସ୍ଥମାନଙ୍କ ପାଇଁ ପ୍ରାଣଶକ୍ତିର ସଂରକ୍ଷଣ ଏବଂ ସଞ୍ଜମତାର ଗୁରୁତ୍ୱକୁ ଏହି ଶ୍ଳୋକରେ ଖୁବ୍ ସୁନ୍ଦର ଭାବରେ ଦର୍ଶାଯାଇଛି ।
ଅନ୍ନଂ ବୈ ପ୍ରଜାପତିସ୍ତତୋ ହ ବୈ ତଦ୍ରେତସ୍ତସ୍ମାଦିମାଃ ପ୍ରଜାଃ ପ୍ରଜାୟନ୍ତ ଇତି ॥ ୧.୧୪ ॥
ମହର୍ଷି ପିପ୍ପଲାଦ ବୁଝାଉଛନ୍ତି ଏହି ‘ଅନ୍ନ’ (ଖାଦ୍ୟ ବା ଆହାର) ହିଁ ହେଉଛି ପ୍ରଜାପତି (ସୃଷ୍ଟିକର୍ତ୍ତାଙ୍କର ଏକ ରୂପ) । ସେହି ଅନ୍ନରୁ ହିଁ ରେତ (ବୀର୍ଯ୍ୟ ବା ଉତ୍ପାଦିକା ଶକ୍ତି) ଉତ୍ପନ୍ନ ହୋଇଥାଏ, ଏବଂ ସେହି ରେତରୁ ହିଁ ଏହି ସମସ୍ତ ପ୍ରଜା (ସମଗ୍ର ଜୀବଜଗତ) ଜନ୍ମଗ୍ରହଣ କରିଥାନ୍ତି ।
ଏହି ଶ୍ଳୋକରେ ସୃଷ୍ଟିର ସ୍ଥୂଳ କାରଣ ଭାବରେ ‘ଅନ୍ନ’କୁ ଦର୍ଶାଯାଇଛି, ଯାହା ଜୀବନର ଉତ୍ପତ୍ତି ଏବଂ ବଂଶବୃଦ୍ଧିର ମୂଳ ଆଧାର ଅଟେ ।
ତଦ୍ୟେ ହ ବୈ ତତ୍ପ୍ରଜାପତିବ୍ରତଂ ଚରନ୍ତି ତେ ମିଥୁନମୁତ୍ପାଦୟନ୍ତେ । ତେଷାମେବୈଷ ବ୍ରହ୍ମଲୋକୋ ଯେଷାଂ ତପୋ ବ୍ରହ୍ମଚର୍ଯ୍ୟଂ ଯେଷୁ ସତ୍ୟଂ ପ୍ରତିଷ୍ଠିତମ୍ ॥ ୧.୧୫ ॥
ମହର୍ଷି ପିପ୍ପଲାଦ ବୁଝାଉଛନ୍ତି ଏଣୁ ଯେଉଁ ଗୃହସ୍ଥମାନେ ସେହି ପ୍ରଜାପତି ବ୍ରତ (ଅର୍ଥାତ୍ ନିଜ ପତ୍ନୀଙ୍କ ସହ କେବଳ ଋତୁକାଳରେ ଏବଂ ରାତ୍ରି ସମୟରେ ହିଁ ସହବାସ କରିବାର ସଂଯମତା ବା ନିୟମ) ପାଳନ କରନ୍ତି, ସେମାନେ ମିଥୁନ (ପୁତ୍ର ଏବଂ କନ୍ୟା) ଉତ୍ପନ୍ନ କରନ୍ତି । ତପସୀ ବ୍ରହ୍ମଚର୍ଯ୍ୟଯୁକ୍ତ ଏବଂ ସତ୍ୟାମ୍ବଲମ୍ବୀ ହୋଇ ରହିଥାଏ (ଅର୍ଥାତ୍ ଯେଉଁମାନେ ନିଷ୍ଠାର ସହ ଏହି ସବୁ ପାଳନ କରନ୍ତି), କେବଳ ସେମାନେ ହିଁ ସେହି (ଚନ୍ଦ୍ରଲୋକ ରୂପକ) ବ୍ରହ୍ମଲୋକ ପ୍ରାପ୍ତ କରନ୍ତି ।
ଏହି ଶ୍ଳୋକରେ ଗୃହସ୍ଥ ଜୀବନରେ ସଂଯମତା, ସତ୍ୟ ଏବଂ ବ୍ରହ୍ମଚର୍ଯ୍ୟର ମହତ୍ତ୍ୱକୁ ଦର୍ଶାଯାଇଛି, ଯାହା ଶୃଙ୍ଖଳିତ ଜୀବନଯାପନର ଏକ ମୂଳଦୁଆ ଅଟେ ।
ତେଷାମସୌ ବିରଜୋ ବ୍ରହ୍ମଲୋକୋ ନ ଯେଷୁ ଜିହ୍ମମନୃତଂ ନ ମାୟା ଚେତି ॥ ୧.୧୬ ॥
ମହର୍ଷି ପିପ୍ପଲାଦ ନିଜର ପ୍ରଥମ ଉତ୍ତରକୁ ଶେଷ କରି କହୁଛନ୍ତି ସେହି ଶୁଦ୍ଧ ଏବଂ ଦୋଷରହିତ (ବିରଜ) ବ୍ରହ୍ମଲୋକ କେବଳ ସେହିମାନଙ୍କୁ ହିଁ ପ୍ରାପ୍ତ ହୁଏ, ଯେଉଁମାନଙ୍କ ଭିତରେ କୌଣସି କୁଟିଳତା ବା ଛନ୍ଦକପଟ ନଥାଏ, କୌଣସି ମିଥ୍ୟା ଆଚରଣ (ଅନୃତମ୍) ନଥାଏ ଏବଂ କୌଣସି ଛଳନା ବା ମାୟା ନଥାଏ । ସେମାନେ ହିଁ ବିଶୁଦ୍ଧ ବ୍ରହ୍ମଲୋକକୁ ପ୍ରାପ୍ତ କରନ୍ତି ।
ଏହି ଶ୍ଳୋକଟି ଆମକୁ ଶିକ୍ଷା ଦିଏ ଯେ, କେବଳ ବାହ୍ୟ କର୍ମକାଣ୍ଡ ନୁହେଁ, ବରଂ ଅନ୍ତରର ଶୁଦ୍ଧତା, ସତ୍ୟବାଦିତା ଏବଂ ନିଷ୍କପଟତା ହିଁ ସର୍ବୋଚ୍ଚ ଆଧ୍ୟାତ୍ମିକ ଲକ୍ଷ୍ୟ (ବ୍ରହ୍ମଲୋକ) ହାସଲ କରିବାର ପ୍ରକୃତ ମାର୍ଗ ଅଟେ ।

ପ୍ରଶ୍ନଉପନିଷଦ ପ୍ରଥମ ପ୍ରଶ୍ନ

ଆଉ କିଛି ଜାଣିବା ପାଇଁ ପଢନ୍ତୁ – https://en.wikipedia.org/wiki/Prashna_Upanishad

https://en.wikipedia.org/

|| ଇତି ପ୍ରଥମଃ ପ୍ରଶ୍ନଃ ସମାପ୍ତ ||

Home

1 thought on “ପ୍ରଶ୍ନଉପନିଷଦ ପ୍ରଥମ ପ୍ରଶ୍ନ”

  1. Pingback: ପ୍ରଶ୍ନଉପନିଷଦର ଦୂତୀୟ ପ୍ରଶ୍ନ

Leave a Comment

Your email address will not be published. Required fields are marked *